-
୫,୯୯୨.୯୨ କୋଟି ଟଙ୍କାର ୨୬ଟି ପ୍ରକଳ୍ପକୁ ଅନୁମୋଦନ
-
୧୯,୩୬୪ ନିଯୁକ୍ତି ସୁଯୋଗ ସୃଷ୍ଟି
ଭୁବନେଶ୍ୱର – ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ୧୩୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୫୯୯୨.୯୨ କୋଟି ଟଙ୍କା ମୂଲ୍ୟର ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିବା ଫଳରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ବିବିଧ ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବା ସହ ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳର ମାନ୍ୟତା ସୁଦୃଢ଼ କରିବ ।
ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ଇସ୍ପାତ, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ବୟନଶିଳ୍ପ, ଉତ୍ପାଦନ, ପ୍ୟାକେଜିଂ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ) ବୈଠକରେ ଅନେକ ପ୍ରକଳ୍ପ ଅନୁମୋଦନ କରାଯାଇଛି । ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ, କୋରାପୁଟ, ବାଲେଶ୍ୱର, କଟକ, ଭଦ୍ରକ ଓ ପୁରୀ ଆଦି ୧୪ଟି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମୋଟ ନିବେଶ ପରିମାଣ ୫,୯୯୨.୯୨ କୋଟି ଟଙ୍କା ଏବଂ ଏହା ଦ୍ୱାରା ୧୯,୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
ବୈଠକରେ ଏକାଧିକ ସମ୍ପ୍ରସାରଣ ପ୍ରକଳ୍ପ ସହିତ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଆଗ୍ରହ ଦେଖିବାକୁ ମିଳିଥିବା ଜଣାଯାଇଛି। ଜିଏମ୍ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନି ଲିମିଟେଡ୍ ମୟୂରଭଞ୍ଜରେ ୭୪୫.୦୦ କୋଟି ଟଙ୍କା ବିନିଯୋଗରେ ୦.୨୩ ଏମପିଟିଏ ସମନ୍ୱିତ ଇସ୍ପାତ କାରଖାନା ସହ ଡାଉନଷ୍ଟ୍ରିମ ଏବଂ ଅପ ଷ୍ଟ୍ରିମ୍ ସୁବିଧା ଏବଂ ୪୫ ମେଗାୱାଟ୍ ର ସିପିପି ପ୍ରତିଷ୍ଠା କରିବାକୁ ଯାଉଛି। ଶ୍ରୀ ଗଣେଶ ମେଟାଲିକ୍ସ ଲିମିଟେଡ୍ ସୁନ୍ଦରଗଡ଼ରେ ଏହାର ସମନ୍ୱିତ ଇସ୍ପାତ କାରଖାନାର ସମ୍ପ୍ରସାରଣ କରିବ, ଯେଉଁଥିରେ ଏସ୍ଏମ୍ଏସ୍, ଏମ୍ଏସ୍ ପାଇପ୍, ସ୍ପଞ୍ଜ ଆଇରନ୍, ସିପିପି ଏବଂ କୋଲ୍ ୱାସେରି ସୁବିଧା ରହିଛି ଏବଂ ଏଥିପାଇଁ ୬୦୪.୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ସୁନ୍ଦରଗଡ଼ରେ ୪୩୨.୫୦ କୋଟି ଟଙ୍କା ବିନିଯୋଗରେ ବେନିଫିସିଏସନ୍, ପେଲେଟ୍, ଫେରୋ ଆଲଏଜ୍, ବିଲେଟ୍, ରୋଲିଂ ମିଲ୍ ସୁବିଧା ଏବଂ ସିପିପି କୁ ମିଶାଇ ଏହାର ବର୍ତ୍ତମାନର କାରଖାନାର ସମ୍ପ୍ରସାରଣ କରିବାକୁ ଟାଇମ୍ସ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ ଯୋଜନା କରିଛି। ଆର୍ଯ୍ୟନ ଇସ୍ପାତ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ ୩୨୩.୦୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ ଏସଏମଏସ, ସିପିପି, ରୋଲିଂ ମିଲ ଏବଂ ଏମଏସ ପାଇପ ଉତ୍ପାଦନ ୟୁନିଟ ସ୍ଥାପନ କରି ନିଜର ବର୍ତ୍ତମାନର ପ୍ରକଳ୍ପକୁ ବୃଦ୍ଧି କରିବ ଏବଂ ଏହା ଦ୍ୱାରା ୧୫୦୦ ନିଯୁକ୍ତି ସୃଷ୍ଟିକରିବ । ଏସ୍ଏସ୍ଏବି ଏନର୍ଜି ଆଣ୍ଡ ମିନେରାଲ୍ସ ଲିମିଟେଡ୍ କେନ୍ଦୁଝରରେ ୨୧୨.୦୦ କୋଟି ଟଙ୍କା ବିନିଯୋଗରେ ପେଲେଟ୍ ପ୍ଲାଣ୍ଟ, ଏସ୍ଏମ୍ଏସ୍, ରୋଲିଂ ମିଲ୍ ଏବଂ ସିପିପି ସ୍ଥାପନ କରି ୧୧୦୭ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ସେହିପରି ଭାସ୍କର ଷ୍ଟିଲ୍ ଓ ଫେରୋ ଆଲୟ ପ୍ରାଇଭେଟ୍ ଲିମିଟେଡ୍ (ୟୁନିଟ୍ ଅଫ୍ କେଏଆଇ ଷ୍ଟିଲ୍) ସୁନ୍ଦରଗଡ଼ରେ ୫୩୦.୦୦ କୋଟି ଟଙ୍କା ବିନିଯୋଗ କରି ୮୮୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଇସ୍ପାତ କ୍ଷେତ୍ରରେ ଶ୍ୟାମଶକ୍ତି ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ରେଙ୍ଗାଲି,ସମ୍ବଲପୁରରେ ୬୫୦.୦୦ କୋଟି ଟଙ୍କା ବିନିଯୋଗରେ ଏକ ଢାଞ୍ଚାଗତ ଓ ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୫୫୨ ନିଯୁକ୍ତି ସୃଷ୍ଟି କରିବ । ୧୬୦.୦୦ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ଆଲୁମିନିୟମ କଣ୍ଡକ୍ଟର, ତାର ରଡ୍ ଏବଂ କେବୁଲ୍ ପାଇଁ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ କାବକନ୍ ଇଣ୍ଡିଆ ଲିମିଟେଡ୍। ଶ୍ରେୟସ ଆଲୁମିନିୟମ ଆଣ୍ଡ ଆଲଏଜ୍ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ୫୨.୦୦ କୋଟି ଟଙ୍କା ବିନିଯୋଗରେ ଏକ ହାଇ ଗ୍ରେଡ୍ ଇଲେକ୍ଟ୍ରିକାଲ୍ ଅପରେଟିଂ ରଡ୍ ଓ ଆଲୟ ରଡ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୦୦ ନିଯୁକ୍ତି ସୃଷ୍ଟି କରିବ ।
ରାସାୟନିକ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପୁଞ୍ଜିନିବେଶ ହୋଇଛି। ଏଟର୍ନିସ୍ ଫାଇନ୍ କେମିକାଲ୍ସ ଲିମିଟେଡ୍ ଗଞ୍ଜାମରେ ୩୦୦.୦୦ କୋଟି ଟଙ୍କା ବିନିଯୋଗରେ ଏକ ପରଫ୍ୟୁମେରି ଉପାଦାନ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୪୦୦ ନିଯୁକ୍ତି ସୃଷ୍ଟି କରିବ । ଓଡ଼ିଶା କେମ୍ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ଦୁଇଟି ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ରାସାୟନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯେଉଁଥିରେ ମୋଟ ୧୪୯.୪୫ କୋଟି ଟଙ୍କା ବିନିଯୋଗ ହେବ ଏବଂ ୧୫୦ ନିଯୁକ୍ତି ସୃଷ୍ଟି ହେବ । ଭାରତୀୟ ଏକ୍ସପ୍ଲୋସିଭସ ପ୍ରାଇଭେଟ ଲିମିଟେଡ୍ କେନ୍ଦୁଝରରେ ୫୪.୬୦ କୋଟି ଟଙ୍କା ବିନିଯୋଗରେ ଏକ ବାଣିଜ୍ୟିକ ବିସ୍ଫୋରକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯେଉଁଥିରେ ୧୨୬ ଜଣ ନିଯୁକ୍ତି ସୃଷ୍ଟି ହେବ ।
ଅକ୍ଷୟ ଶକ୍ତି କ୍ଷେତ୍ରରେ ଏନଭାଇରୋକେୟାର ଇନଫ୍ରାସଲୁସନ୍ ପ୍ରାଇଭେଟ୍ ଲିମିଟେଡ୍ ବୌଦ୍ଧରେ ୩୫୧.୦୦ କୋଟି ଟଙ୍କା ବିନିଯୋଗରେ ୧୦୦ ମେଗାଓ୍ଵାଟ୍ ର ଗ୍ରାଉଣ୍ଡ ମାଉଣ୍ଟେଡ୍ ସୋଲାର ଫଟୋଭୋଲ୍ଟାଇକ୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ କରିବ, ଯେଉଁଥିରେ ୬୦ ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସୋଲିସିସ୍ ସୋଲାର ପ୍ରାଇଭେଟ୍ ଲିମିଟେଡ୍ ୫୯.୫୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ସୋଲାର ମଡ୍ୟୁଲ୍ ପାଇଁ ଏକ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯାହା ୧୨୦ ନିଯୁକ୍ତି ସୃଷ୍ଟି କରିବ ।
ବୟନ ଓ ପୋଷାକ କ୍ଷେତ୍ରରେ ଶ୍ରୀ ହରି ସ୍ପିନର୍ସ ପ୍ରାଇଭେଟ୍ ଲିମିଟେଡ୍ ସୁନ୍ଦରଗଡ଼ରେ ୧୨୯.୬୮ କୋଟି ଟଙ୍କା ବିନିଯୋଗରେ ଏକ କପା ସୂତା ସ୍ପିନିଂ ମିଲ୍ ୟୁନିଟ୍ ସ୍ଥାପନ କରି ୭୦୦ ନିଯୁକ୍ତି ସୃଷ୍ଟି କରିବ । ୫୦.୫୫ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରି ୧୦୨୮ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଇଣ୍ଡିଆନ୍ ଷ୍ଟିଚେସ୍ ପ୍ରାଇଭେଟ୍ ଲିମିଟେଡ୍ (ଆଇଏସପିଏଲ୍)।
ମାନୁଫାକ୍ଚରିଂ ସେକ୍ଟରରେ ମଧ୍ୟ ଉଲ୍ଲେଖନୀୟ ପ୍ରକଳ୍ପ ଦେଖିବାକୁ ମିଳିଛି । ଋଷିଲ ଡେକୋର ଲିମିଟେଡ କୋରାପୁଟରେ ୫୦୪ କୋଟି ଟଙ୍କା ବିନିଯୋଗରେ ଏକ ଏମଡିଏଫ ଏବଂ ପ୍ରି-ଲାମିନେଟେଡ୍ ଏମଡିଏଫ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ୨୮୫ ନିଯୁକ୍ତି ସୃଷ୍ଟି କରିବ । ପ୍ରତାପ ସିନ୍ଥେଟିକ୍ସ ଲିମିଟେଡ୍ ବାଲେଶ୍ୱରରେ ୧୦୨.୫୦ କୋଟି ଟଙ୍କା ବିନିଯୋଗରେ ପିପି ବୁଣା ବ୍ୟାଗ୍, ଲାମିନେଟେଡ୍ ବ୍ୟାଗ୍, ବ୍ଲକ୍ ବଟମ୍ ବ୍ୟାଗ୍ ଏବଂ ଏଫ୍ ଆଇବିସି ପାଇଁ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ୫୫୦ ନିଯୁକ୍ତି ସୃଷ୍ଟି କରିବ ।
ପ୍ଲାଷ୍ଟିକ ଓ ପ୍ୟାକେଜିଂ କ୍ଷେତ୍ରରେ ଏସଜିବିଏଲ୍ ଇନଫୋସିଷ୍ଟମସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୬୦.୦୩ କୋଟି ଟଙ୍କା ବିନିଯୋଗରେ ଏକ ଫୁଡ୍ ଗ୍ରେଡ୍ ଆସେପ୍ଟିକ୍ ପ୍ୟାକେଜିଂ (ଟେଟ୍ରାପ୍ୟାକ୍) ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୦୪ ନିଯୁକ୍ତି ସୃଷ୍ଟି କରିବ। ଇଷ୍ଟ ଇଣ୍ଡିଆ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୧.୦୦ କୋଟି ଟଙ୍କା ବିନିଯୋଗରେ ଏକ କୋରୁଗେଟେଡ୍ ଫ୍ଲୁଟେଡ୍ କାର୍ଟନ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି୧୫୦ ନିଯୁକ୍ତି ସୃଷ୍ଟି କରିବ। କେଏସଭି ପ୍ୟାକେଜିଂ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ୫୩.୫୧ କୋଟି ଟଙ୍କା ବିନିଯୋଗରେ କଟକରେ ଟେଟ୍ରାପାକ୍ କଣ୍ଟେନର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନନ୍ଦରାଜ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ୯୨.୬୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ମସଲା ଓ ସ୍ନାକ୍ସ ପାଇଁ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୮୮୨ ନିଯୁକ୍ତି ସୃଷ୍ଟି କରିବ । ଡିଏନ୍ ସି ସେଲ୍ ପ୍ରାଇଭେଟ୍ ଲିମିଟେଡ୍ ୫୦.୪୩ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ଏକ ସ୍ୱୟଂଚାଳିତ ଆଧୁନିକ ରାଇସ୍ ମିଲ୍ ପ୍ରତିଷ୍ଠା କରିବ, ଯେଉଁଥିରେ ୯୮ ଜଣ ନିଯୁକ୍ତି ସୃଷ୍ଟି କରିବେ।
ଆଇଟି ଓ ଭିତ୍ତିଭୂମି କ୍ଷେତ୍ରରେ ପଣ୍ଡା ଇଷ୍ଟେଟ୍ ଖୋର୍ଦ୍ଧାରେ ୧୧୨.୮୦ କୋଟି ଟଙ୍କା ବିନିଯୋଗରେ ଆଇଟି ଭିତ୍ତିଭୂମିର ବିକାଶ କରି ୪,୫୦୦ ନିଯୁକ୍ତି ସୃଷ୍ଟି କରିବ। ଶୈଳବାଳା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ ୭୩.୨୦ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ ରିସୋର୍ଟ ପ୍ରତିଷ୍ଠା କରିବ, ଯେଉଁଥିରେ ୧୬୫ ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୋଦାବରୀ କମୋଡିଟିଜ୍ ଲିମିଟେଡ୍ ୮୮.୫୮ କୋଟି ଟଙ୍କା ବିନିଯୋଗରେ ସୁନ୍ଦରଗଡ଼ରେ ୩ ଏମ୍ଟିପିଏ କୋଇଲା ଓ୍ୱାସେରୀ ପ୍ରକଳ୍ପ ସ୍ଥାପନ କରିବ, ଯେଉଁଥିରେ ୧୩୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
୫,୯୯୨.୯୨ କୋଟି ଟଙ୍କାର ସାମୂହିକ ବିନିଯୋଗରେ ଏହି ୨୬ଟି ରୂପାନ୍ତରଣକାରୀ ପ୍ରକଳ୍ପ ୧୯,୩୬୪ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଓ ଅର୍ଥନୈତିକ ସମୃଦ୍ଧି ଘଟିବ ।ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ନିବେଶ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ଏବଂ ସମଗ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ଶିଳ୍ପ ବିଭାଗ ତରଫରୁ କୁହାଯାଇଛି ।