ନୂଆଦିଲ୍ଲୀ, ଚାନ୍ସେଲର ଶ୍ରୀ କାର୍ଲ ନେହମାରଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜୁଲାଇ ୯ରୁ ୧୦ ତାରିଖ ମଧ୍ୟରେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ରାଷ୍ଟ୍ରପତି ମହାମହିମ ଆଲେକଜାଣ୍ଡର ଭାନ ଡର ବେଲେନଙ୍କୁ ସାକ୍ଷାତ କରିବା ସହ ଚାନ୍ସେଲର ନେହମାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ ଏବଂ ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ପ୍ରଥମ ଅଷ୍ଟ୍ରିଆ ଗସ୍ତ ଥିଲା । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂରଣ ହେଉଛି। ଗଣତନ୍ତ୍ର, ସ୍ୱାଧୀନତା, ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତାର ମିଳିତ ମୂଲ୍ୟବୋଧ, ଜାତିସଂଘ ଚାର୍ଟର୍ ସହିତ ଏକ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା, ମିଳିତ ଐତିହାସିକ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲି ଆସୁଥିବା ସମ୍ପର୍କ ବୃଦ୍ଧି ପାଉଥିବା ଭାଗିଦାରୀର କେନ୍ଦ୍ରବିନ୍ଦୁ ବୋଲି ପ୍ରଧାନମନ୍ତ୍ରୀ ଓ ଚାନ୍ସେଲର ଗୁରୁତ୍ୱାରୋପ କରିଥିଲେ । ଏକ ସ୍ଥିର, ସମୃଦ୍ଧ ଓ ଦୀର୍ଘସ୍ଥାୟୀ ବିଶ୍ୱ ପାଇଁ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସହଯୋଗକୁ ଗଭୀର ଓ ବ୍ୟାପକ କରିବା ଦିଗରେ ସେମାନଙ୍କର ପ୍ରୟାସ ଜାରି ରଖିବାକୁ ସେମାନେ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଚାନ୍ସେଲର ନେହମାର୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ ଦୁଇ ଦେଶ ସେମାନଙ୍କ ଦ୍ୱିପାକ୍ଷିକ ଭାଗିଦାରୀକୁ ଉଲ୍ଲେଖନୀୟ ଭାବରେ ଉଚ୍ଚ ସ୍ତର ପର୍ଯ୍ୟନ୍ତ ଉନ୍ନତ କରିବାର ସାମର୍ଥ୍ୟ ରଖିଛନ୍ତି। ଏହି ସହଭାଗୀ ଉଦ୍ଦେଶ୍ୟକୁ ଆଗେଇ ନେବା ପାଇଁ ସେମାନେ ଏକ ରଣନୀତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜି ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଘନିଷ୍ଠ ରାଜନୈତିକ ସ୍ତରୀୟ ଆଲୋଚନା ବ୍ୟତୀତ ସେମାନେ ଭବିଷ୍ୟତ ଭିତ୍ତିକ ଦ୍ୱିପାକ୍ଷିକ ସ୍ଥାୟୀ ଅର୍ଥନୈତିକ ଏବଂ ପ୍ରଯୁକ୍ତି ବିଦ୍ୟା ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ବିଭିନ୍ନ ନୂତନ ପଦକ୍ଷେପ ଓ ଯୁଗ୍ମ ପ୍ରକଳ୍ପ, ସହଯୋଗୀ ଜ୍ଞାନକୌଶଳ ବିକାଶ, ଗବେଷଣା ଓ ଉଦ୍ଭାବନ ଏବଂ ବ୍ୟବସାୟ-ବ୍ୟବସାୟ ସମ୍ପର୍କ, ସବୁଜ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଅକ୍ଷୟ ଶକ୍ତି, ଜଳ ପରିଚାଳନା, ଜୀବନ ବିଜ୍ଞାନ, ସ୍ମାର୍ଟ ସିଟି, ଗତିଶୀଳତା ଓ ପରିବହନ କ୍ଷେତ୍ରରେ ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ । ରାଜନୈତିକ ଓ ସୁରକ୍ଷା ସହଯୋଗ ଅନ୍ତର୍ଜାତୀୟ ତଥା କ୍ଷେତ୍ରୀୟ ଶାନ୍ତି ଓ ସମୃଦ୍ଧି ରେ ଯୋଗଦାନ କରିବା ପାଇଁ ଭାରତ ଓ ଅଷ୍ଟ୍ରିଆ ଭଳି ଗଣତାନ୍ତ୍ରିକ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ନେହମାର ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସେମାନଙ୍କ ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ନିୟମିତ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ସନ୍ତୋଷର ସହ ଉଲ୍ଲେଖ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଅନୁଷ୍ଠାନିକ ଆଲୋଚନା ବୃଦ୍ଧି ଧାରା ବଜାୟ ରଖିବାକୁ ସେମାନେ ସେମାନଙ୍କ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ। ଉଭୟ ନେତା ୟୁଏନସିଏଲଓଏସରେ ପ୍ରତିଫଳିତ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ଅନୁଯାୟୀ ଏକ ମୁକ୍ତ, ଅବାଧ ଓ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରିଥିଲେ। ସାମୁଦ୍ରିକ ନିରାପତ୍ତା ଓ ଅନ୍ତର୍ଜାତୀୟ ଶାନ୍ତି ତଥା ସ୍ଥିରତାର ଲାଭ ପାଇଁ ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଓ ପରିବହନ ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ସମ୍ମାନ ଦେଇଥିଲେ। ଉଭୟ ନେତା ୟୁରୋପ ତଥା ପଶ୍ଚିମ ଏସିଆ/ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ଗଭୀର ବିଶ୍ଳେଷଣ କରିଥିଲେ। ଶାନ୍ତି ଫେରାଇ ଆଣିବା ଏବଂ ସଶସ୍ତ୍ର ସଂଘର୍ଷକୁ ଏଡ଼ାଇବା ଦିଗରେ ପ୍ରୟାସକୁ ପ୍ରାଥମିକତା ଦେବା ସହିତ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘ ଚାର୍ଟରକୁ କଡ଼ାକଡ଼ି ପାଳନ କରିବା ଦିଗରେ ଦୁଇ ଦେଶର ଆଭିମୁଖ୍ୟରେ ପରିପୂରକତା ବିଷୟରେ ସେମାନେ ଉଲ୍ଲେଖ କରିଥିଲେ। ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଉଭୟ ନେତା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟର ଅନୁଯାୟୀ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଯେକୌଣସି ସାମୂହିକ ପ୍ରୟାସକୁ ସମର୍ଥନ କରିଥିଲେ । ଉଭୟ ପକ୍ଷ ବିଶ୍ୱାସ କରନ୍ତି ଯେ ୟୁକ୍ରେନରେ ଏକ ବ୍ୟାପକ ଓ ସ୍ଥାୟୀ ଶାନ୍ତି ହାସଲ କରିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବା ଏବଂ ସଂଘର୍ଷରେ ଦୁଇ ପକ୍ଷ ମଧ୍ୟରେ ଏକ ଆନ୍ତରିକ ଓ ନିଷ୍ଠାପର ଯୋଗାଯୋଗ ଆବଶ୍ୟକ ।