-
•ସଡ଼କ, ରେଳ ଏବଂ ସହରାଞ୍ଚଳ ପରିବହନ ପ୍ରକଳ୍ପର ସମୀକ୍ଷା କଲା ଏନପିଜି
ନୂଆଦିଲ୍ଲୀ,ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ଶ୍ରୀ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପିଏମ୍ ଗତିଶକ୍ତି ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି)ର ୭୪ତମ ବୈଠକ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି । ରେଳ ମନ୍ତ୍ରଣାଳୟ (ଏମଓଆର), ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ) ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ୫ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପିଏମ୍ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ୍ (ଏନଏମପି)ରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନାର ସିଦ୍ଧାନ୍ତ ସହ ସମନ୍ୱୟ ପାଇଁ ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା । ଓଡ଼ିଶାରେ ବଳରାମ – ତେନ୍ତୁଲୋଇ ନୂଆ ରେଳ ଲାଇନ (ଏମସିଆରଏଲ୍ ଫେଜ୍ ୨) ଏହି ନୂତନ ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାରେ ୧୪୦୪ କୋଟି ଟଙ୍କା ବ୍ୟୟରେ ୪୯.୫୮ କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇ ୧୧ଟି କୋଇଲା ବ୍ଲକ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ -ମାଇଲ ରେଳ ସଂଯୋଗ ପ୍ରଦାନ କରାଯିବ । ଶିଳ୍ପଗୁଡ଼ିକ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ଏହାର ଲକ୍ଷ୍ୟ, ଯାହା ଆଞ୍ଚଳିକ ବିକାଶରେ ସହାୟକ ହେବ । ଏହି ପ୍ରକଳ୍ପ ଦ୍ୱାରା କୋଇଲା ପରିବହନ ଦକ୍ଷତା ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଉଭୟ ସ୍ଥାନୀୟ ଅର୍ଥନୀତି ଏବଂ ଓଡ଼ିଶା ରାଜ୍ୟର ବ୍ୟାପକ ଶିଳ୍ପ କ୍ଷେତ୍ର ଉପକୃତ ହେବ ବୋଲି ଆଶା କରାଯାଉଛି । ଓଡ଼ିଶାର ବୁଢ଼ାପଙ୍କ – ଲୁବୁରୀ ନୂଆ ରେଳ ଲାଇନ (ଏମସିଆରଏଲ୍ ବାହାର କରିଡର) ୧୦୬ କିଲୋମିଟର ପରିବ୍ୟାପ୍ତ ଏହି ଗ୍ରୀନଫିଲ୍ଡ ରେଳ ଲାଇନ ୩୪୭୮ କୋଟି ଟଙ୍କା ବ୍ୟୟରେ ମହାନଦୀ ଅବବାହିକାରୁ ଦକ୍ଷ ଭାବେ କୋଇଲା ନିଷ୍କାସନରେ ସହାୟକ ହେବ । ପ୍ରସ୍ତାବିତ ଆଲାଇନମେଣ୍ଟ ଦ୍ୱାରା ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ ସୁବିଧା ହେବ, ୨୧ଟି କୋଇଲା ବ୍ଲକକୁ ପ୍ରଥମ – ମାଇଲ ରେଳ ସଂଯୋଗ ପ୍ରଦାନ କରାଯିବ, ରେଳ ଷ୍ଟେସନର ହାରାହାରି ଦୂରତା ୪୩ କିଲୋମିଟରରୁ ୪.୨ କିଲୋମିଟରକୁ ହ୍ରାସ ପାଇବ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ପାଇବ ତଥା ଲୁହା ଓ ଇସ୍ପାତ ଭଳି ପ୍ରମୁଖ ଶିଳ୍ପ ପାଇଁ ଖର୍ଚ୍ଚ ହ୍ରାସ ପାଇବ । ଉତ୍ତରପ୍ରଦେଶରେ ଲକ୍ଷ୍ନୌ ମେଟ୍ରୋ ରେଳ ପ୍ରକଳ୍ପ ଆଇ – ବି ପୂର୍ବ- ପଶ୍ଚିମ କରିଡର (ଚାରବାଗରୁ ବସନ୍ତ କୁଞ୍ଜ) ଏହି ପ୍ରକଳ୍ପରେ ସହରର ବୃଦ୍ଧି ପାଉଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ନୌ ମେଟ୍ରୋ କରିଡରକୁ ୧୧.୧୬୫ କିଲୋମିଟର ବୃଦ୍ଧି କରିବା ଅନ୍ତର୍ଭୁକ୍ତ । ବର୍ତ୍ତମାନର ମେଟ୍ରୋ ଲାଇନ୍ ଦୈନିକ ଯାତ୍ରୀ ସଂଖ୍ୟା (ପିପିଡି) ହିସାବରେ ୮୦,୦୦୦ ଯାତ୍ରୀଙ୍କୁ ସେବା ଯୋଗାଉ ଥିବା ବେଳେ ଏହି ଅତିରିକ୍ତ ନୂତନ ଲାଇନ୍ ଅତିରିକ୍ତ ୨,୦୦,୦୦୦ ପିପିଡି ପୂରଣ କରିବ ବୋଲି ଆଶା କରାଯାଉଛି । ଏହି ପ୍ରସ୍ତାବିତ ନୂତନ କରିଡର ଅମିନାବାଦ, ଆଲମବାଗ, ଫୈଜାବାଦ ଏବଂ ଚାରବାଗ ଅଞ୍ଚଳ ସମେତ ସହରର ସବୁଠାରୁ ଘନ ଜନବସତି ବିଶିଷ୍ଟ କେନ୍ଦ୍ରୀୟ ବ୍ୟବସାୟ ଜିଲ୍ଲା (ସିବିଡି)କୁ ସେବା ଯୋଗାଇବ । ଫୁଟ୍ ଓଭରବ୍ରିଜ୍ (ଏଫ୍ଓବି) ଏବଂ ଅଣ୍ଡରପାସ୍ ମାଧ୍ୟମରେ ଇଣ୍ଟରଚେଞ୍ଜର ପଏଣ୍ଟଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ସଂଯୋଗ କରିବା ପାଇଁ ଏହି ଷ୍ଟେସନଗୁଡ଼ିକ କୌଶଳପୂର୍ଣ୍ଣ ଭାବରେ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ୫,୮୦୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି ଏବଂ ଏକ ସମନ୍ୱିତ ନେଟୱର୍କ ମାଧ୍ୟମରେ ଭିଡ଼, ଯାନବାହନ ପ୍ରଦୂଷଣ ହ୍ରାସ କରିବା ଏବଂ ସାର୍ବଜନୀନ ପରିବହନ ଉପଲବ୍ଧତା ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ପାରମ୍ପରିକ ଶକ୍ତି ବ୍ୟବହାର ହ୍ରାସ କରିବା ପାଇଁ ଛାତ ଉପରେ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ବ୍ୟବହାର ଉପରେ ଏହି ବିକାଶ ଯୋଜନା ଗୁରୁତ୍ୱାରୋପ କରିଛି । ଗୁଜରାଟରେ ଜାତୀୟ ରାଜପଥ- ୪୭ର ଏଲିଭେଟେଡ୍ କରିଡର (ନାରୋଲ ଜଙ୍କସନରୁ ସର୍ଖେଜ ଜଙ୍କସନ୍) ସମେତ ବର୍ତ୍ତମାନର ୬ ଲେନ୍ ବିଶିଷ୍ଟ ସଡ଼କର ଉନ୍ନତିକରଣ ଏହି ବ୍ରାଉନଫିଲ୍ଡ ପ୍ରକଳ୍ପରେ ଅହମ୍ମଦାବାଦର ଦକ୍ଷିଣ ଭାଗରେ ପ୍ରମୁଖ ରାଜପଥ ଏବଂ ଏକ୍ସପ୍ରେସୱେ ଗୁଡ଼ିକୁ ସଂଯୋଗ କରୁଥିବା ଟ୍ରାଫିକ ଭିଡ଼ର ସମାଧାନ ପାଇଁ ୧,୨୯୫ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ- ୪୭ର ୧୦.୬୩ କିଲୋମିଟର ଅଂଶର ଉନ୍ନତିକରଣ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସୁଗମ ଏବଂ ସୁରକ୍ଷିତ ଟ୍ରାଫିକ୍ ପ୍ରବାହକୁ ବୃଦ୍ଧି କରିବା, ଯାହା ଦ୍ୱାରା ସେବା ସ୍ତରରେ ଉନ୍ନତି ଆସିବ । ଜାତୀୟ ରାଜପଥ- ୪୭ର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶର ଉନ୍ନତିକରଣ ଦ୍ୱାରା ଦ୍ରବ୍ୟ ଓ ଲୋକ ମାନଙ୍କର ଅଧିକ ଦକ୍ଷ ପରିବହନ ସହଜ ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଜୀବନୀ ଶକ୍ତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ରର ଚୋକକରୁ ସାଙ୍ଗଲି (ଅଙ୍କଲି) ପର୍ଯ୍ୟନ୍ତ ଜାତୀୟ ରାଜପଥ- ୧୬୬ର ଭାଗକୁ ୪-ଲେନ୍ ବିଶିଷ୍ଟ କରିବା ଏହି ପ୍ରକଳ୍ପରେ ଜାତୀୟ ରାଜପଥ- ୧୬୬ର ୩୩.୬ କିଲୋମିଟର ଅଂଶକୁ ଚାରି ଲେନ୍ ବିଶିଷ୍ଟ କରିବା, ଅର୍ଥାତ୍ ମହାରାଷ୍ଟ୍ର ରାଜ୍ୟର କୋହ୍ଲାପୁର ଏବଂ ସାଙ୍ଗଲି ମଧ୍ୟରେ ୮୬୪ କୋଟି ଟଙ୍କା ବ୍ୟୟ ଅଟକଳରେ ଯୋଗାଯୋଗ ବୃଦ୍ଧି କରିବା ଅନ୍ତର୍ଭୁକ୍ତ । ଏହି ବିକାଶ ଦ୍ୱାରା ଯାତ୍ରା ସମୟ ୫୦% ଏବଂ ଦୂରତା ପ୍ରାୟ ୫.୪ କିଲୋମିଟର ହ୍ରାସ ପାଇବ । ଏହା ପରିବେଶର ଗୁଣାବଳୀ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ଏହି ରାସ୍ତାର ଉନ୍ନତି ଫଳରେ ଇନ୍ଧନ ଓ ସମୟ ସଞ୍ଚୟ ହେବା ସହ ଯାନବାହନରୁ ନିର୍ଗତ ହେଉଥିବା ଧୂଆଁ ଜନିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ । ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି) ପିଏମ୍ ଗତିଶକ୍ତିର ନୀତି, ଅର୍ଥାତ୍ ବହୁମୁଖି ଭିତ୍ତିଭୂମି ବିକାଶର ସମନ୍ୱିତ ବିକାଶ, ଅର୍ଥନୈତିକ ଏବଂ ସାମାଜିକ ସ୍ତରକୁ ଶେଷ ମାଇଲ ସଂଯୋଗ, ଆନ୍ତଃମୋଡାଲ ସଂଯୋଗ ଏବଂ ପ୍ରକଳ୍ପ ଗୁଡ଼ିକର ସମ୍ଭାବ୍ୟ ସମନ୍ୱିତ କାର୍ଯ୍ୟକାରିତା ଦୃଷ୍ଟିକୋଣରୁ ସମସ୍ତ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲା । ଏହି ପ୍ରକଳ୍ପଗୁଡ଼ିକ ରାଷ୍ଟ୍ର ନିର୍ମାଣ, ପରିବହନର ବିଭିନ୍ନ ମାଧ୍ୟମକୁ ସମନ୍ୱିତ କରିବା ଏବଂ ଯଥେଷ୍ଟ ସାମାଜିକ – ଆର୍ଥିକ ଲାଭ ଏବଂ ସହଜ ଜୀବନଧାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି, ଯାହା ଦ୍ୱାରା ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକର ସାମଗ୍ରିକ ବିକାଶରେ ଏସବୁ ସହାୟକ ହେବ ।