ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରୁ ମସ୍କୋ ଗସ୍ତ କରିବେ ।ପ୍ରଧାନମନ୍ତ୍ରୀ ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ନିମନ୍ତ୍ରଣ କ୍ରମେ 22ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜୁଲାଇ 8 ଓ 9ରେ ମସ୍କୋରେ ରହିବେ ।ଉଭୟ ନେତା ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସଂପୂର୍ଣ୍ଣ ଶୃଙ୍ଖଳାର ସମୀକ୍ଷା ଓ ପାରସ୍ପରିକ ହିତ ପାଇଁ ସମକାଳୀନ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ବିଚାର ଆଦାନ ପ୍ରଦାନ କରିବେ ।
ପିଆଇବିର ବିଜ୍ଞପ୍ତି ଅନୁସାରେ, ଏହାପରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଯିବେ । ସେଠାରେ ଜୁଲାଇ 9 ଓ 10ରେ ରହିବେ । 41 ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ ଅଟେ । ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକଜାଣ୍ଡର ୱାନ ଡେର ବେଲନଙ୍କୁ ସାକ୍ଷାତ କରିବେ ଏବେ ଅଷ୍ଟ୍ରିଆର ଚାନସେଲର କାର୍ଲ ନେହମରଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦି ଓ ନେହମର ଭାରତ ଓ ଅଷ୍ଟ୍ରିଆର ଶିଳ୍ପପତିଙ୍କୁ ମଧ୍ୟ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ସହିତ ଭିଏନାରେ ରହୁଥିବା ଭାରତୀୟ ସମୁଦାୟର ଲୋକଙ୍କ ସହ ମଧ୍ୟ ଆଲୋଚନା କରିବେ ।
ଋଷରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ବିଶେଷ କରି ପ୍ରତିରକ୍ଷା ବୁଝାମଣା ଉପରେ ବିଶ୍ୱର ନଜର ରହିବ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ପ୍ରଥମ ସୁଯୋଗ ଅଟେ, ଯେ ମୋଦି ଋଷ ଗସ୍ତ କରୁଛନ୍ତି ।