ମୁଖୀଗୁଡା,କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଡକାୟତ ଗ୍ୟାଙ୍ଗ। ଗତକାଲି ବିଳମ୍ବିତ ରାତିରେ ରଜାମୁଣ୍ଡା ଗାଁର ରତନ ରଣାଙ୍କ ଘରେ ୭ ଜଣ ଦୁର୍ବୁତ ମାରଣାସ୍ତ୍ର ଦେଖାଇ ୧୦ ଭରି ସୁନା ଗହଣା ସହ ୪ ଲକ୍ଷ ନଗଦ ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ରତନ ଓ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ୭ ଜଣ ଦୁର୍ବୁତ ମୁହଁରେ କଳା ମୁଖା ପିନ୍ଧି ଘରର ଗ୍ରୀଲ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ। ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ରତନଙ୍କ ବୋହୁଙ୍କ କୋଠରୀରେ ଥିବା ଆଲମାରୀରୁ ୧୦ ତୋଳା ସୁନା ଗହଣା ସହ ରତନଙ୍କ ଶେଜ ତଳେ ଥିବା ୪ ଲକ୍ଷ ଟଙ୍କା ନେଇଥିବା ରତନ କହିଛନ୍ତି। ଦୁର୍ବୁତ ମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ରତନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ଘଟଣାସ୍ଥଳରେ ଜୟପାଟଣା ପୋଲିସ, ସାଇଫିଣ୍ଟିକ ଟିମ ଓ ସନ୍ଧାନୀ କୁକୁର ପହଂଚି ଘଟଣାର ଛାନଭିନ ଚଳାଇଛନ୍ତି।
ପ୍ରକାଶ ଥାଉକି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଢୁଲୁଘାଟି ଘାଟି ଖୋଲିବା ପରେ ଏହି ଘାଟି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆଡ୍ଡା ସାଜିଛି।କିଛିଦିନ ତଳେ ଏହି ଅଞ୍ଚଳରେ ଏଭଳି ଲୁଟ ହୋଇଥିଲା। ବର୍ତ୍ତମାନ କିଛି ଦିନ ନୀରବତା ପରେ ପୁଣି ସେଇଭଳି ଡକାୟତି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।