ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁନାଇଟେଡ କିଙ୍ଗଡମର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁବା ଓ ନିର୍ବାଚନରେ ଲେବର ପାର୍ଟିର ଉଲ୍ଲେଖନୀୟ ବିଜୟ ଉପରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବୟାନରେ କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଓ ଷ୍ଟାର୍ମର ଦୁଇ ଦେଶ ମଧ୍ୟରେ ଐତିହାସିକ ସଂପର୍କକୁ ମନେ ପକାଇଥିଲେ ଏବଂ ଭାରତ ଓ ବ୍ରିଟେନ ମଧ୍ୟରେ ବ୍ୟାପକ ରଣନୈତିକ ବୁଝାମଣାକୁ ଆହୁରି ଗଭୀର କରିବା ଏବଂ ଆଗକୁ ବଢାଇବା ପାଇ ନିଜ ପ୍ରତିବଦ୍ଧତା ଦର୍ଶାଇଥିଲେ । ଦୁଇ ନେତା ପାରସ୍ପରିକ ଭାବେ ଲାଭକାରୀ ଭାରତ-ବ୍ରିଟେନ ମୁକ୍ତ ବ୍ୟାପାର ବୁଝାମଣାକୁ ଶୀଘ୍ର ପୂରଣ କରିବା ଦିଗରେ କାମ କରିବା ଉପରେ ସହମତି ପ୍ରକାଶ କରିଛନ୍ତି ।
ବ୍ରିଟେନର ସାମାଜିକଳ ଆର୍ଥିକ ଓ ରାଜନୈତିକ ବିକାଶରେ ଭାରତୀୟ ସମୁଦାୟର ସକରାତ୍ମକ ଯୋଗଦାନର ପ୍ରଶଂସା କରି ଦୁଇ ପକ୍ଷର ଲୋକଙ୍କ ମଧ୍ୟରେ ଘନିଷ୍ଠ ସଂପର୍କକୁ ପ୍ରୋତ୍ସାହିତ କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି ।
ଶୀଘ୍ର ଭାରତ ଆସିବା ପାଇଁ ପିଏମ ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ନିମନ୍ତ୍ରଣ କରିଥିଲେ । ଦୁଇ ନେତା ସଂପର୍କ ବନାଇରଖିବା ଉପରେ ସହମତି ବ୍ୟକ୍ତ କରିଛନ୍ତି ।