-
ଉପ ମୁଖ୍ୟମନ୍ତ୍ରୀ ଓ କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହିତ ଚାଷୀ ପ୍ରତିନିଧି ମାନଙ୍କ ଠାରୁ ପ୍ରସ୍ତାବ ନେଲେ
-
ସବୁ ସବ୍ ଡିଭିଜନରେ ହେବ କୋଲ୍ଡ ଷ୍ଟୋର
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶନିବାର କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ ।
ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ୱତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ । ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।
ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପି. ଏମ. କିସାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ସାମିଲ ହୋଇ ପାରି ନାହାଁନ୍ତି, ସମସ୍ତଙ୍କୁ ସାମିଲ କରାଯିବ । ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି । ସେହିପରି ପ୍ରଥମେ ୫୮ ଟି ସବ୍ ଡିଭିଜନ ରେ କୋଲ୍ଡ ଷ୍ଟୋର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟିଏ ଗୋଟିଏ କୋଲ୍ଡ ଷ୍ଟୋର ହେବା ଦ୍ୱାରା ସବୁ ଅଂଚଳର ଚାଷୀ ମାନେ ଲାଭବାନ ହୋଇ ପାରିବେ ବୋଲି ସେ କହିଥିଲେ । ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି । ଏଥିରେ ଚାଷୀ ମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ ।
ସରକାର ଗଠନର ପ୍ରଥମ ଦିନରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ନିଷ୍ପତି ଗ୍ରହଣ କରିଥିବାରୁ କୃଷକ ସଂଗଠନ ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଧନ୍ୟବାଦ୍ ଦେଇଥିଲେ ।