-
ରତ୍ନଭଣ୍ଡାର ଖୋଲିବା ନେଇ ଆଜି କୌଣସି ନିଷ୍ପତି ହୋଇନାହିଁ, ପରବର୍ତୀ ବୈଠକ ୯ ରେ : ଠାକୁରଙ୍କ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଗୁରୁତ୍ଵ ଦିଆଯିବ – ଜଷ୍ଟିସ୍ ବିଶ୍ଵନାଥ ରଥ
ପୁରୀ, ନବଗଠିତ ରତ୍ନଭଣ୍ଡାର ଯାଂଚ୍ କମିଟିର ପ୍ରଥମ ବୈଠକ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଯାଂଚ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ରତ୍ନଭଣ୍ଡାର ଖୋଲିବା ନେଇ ଆଜି କୌଣସି ନିଷ୍ପତି ହୋଇନାହିଁ । ଆସନ୍ତା ୯ ତାରିଖରେ ପରବର୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଜଷ୍ଟିସ୍ ଶ୍ରୀ ରଥ ।
ସାମ୍ବାଦିକ ମାନଙ୍କୁ ଏନେଇ ଅଧିକ ସୂଚନା ଦେଇ ଜଷ୍ଟିସ୍ ଶ୍ରୀ ରଥ କହିଛନ୍ତି ଯେ, ଡୁପ୍ଲିକେଟ୍ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ୯ ତାରିଖ ବୈଠକରେ ରତ୍ନଭଣ୍ଡାର ଯାଂଚ୍ କମିଟି ସମ୍ମୁଖରେ ମୁଖ୍ୟ ପ୍ରଶାସକ ଡୁପ୍ଲିକେଟ୍ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ କରିବା ପରେ କେବେ ଖୋଲାଯିବ ସେହିଦିନ ନିଷ୍ପତି ହେବ । ବହୁ ଦଶନ୍ଧି ଧରି ଉକ୍ତ ତାଲା ଖୋଲା ଯାଇନାହିଁ, ଯଦି ଉକ୍ତ ଡୁପ୍ଲିକେଟ୍ ଚାବିରେ ନଖୋଲେ, ତେବେ ରତ୍ନଭଣ୍ଡାରର ତାଲା ଭଙ୍ଗାଯିବ । ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ ।
ସେହିପରି ତାଲା କିପରି ଭଙ୍ଗାଯିବ ସେନେଇ ମଧ୍ୟ ଏସଓପି ପ୍ରସ୍ତୁତ କରାଯିବ । ପ୍ରସ୍ତୁତ ଏସଓପି ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ ସେନେଇ ପରିଚାଳନା କମିଟି ନିଷ୍ପତି ନେବ । କେବଳ ଅଳଙ୍କାର ଗଣତି ମଣତି ନୁହେଁ, ରତ୍ନଭଣ୍ଡାରର ମରାମତି ମଧ୍ୟ ଜରୁରୀ । ସେହିଠାରେ ଗହଣା ରଖି ମରାମତି କରାଯାଇପାରିବନି, ତାହାର ସିଫ୍ଟ ଆବଶ୍ୟକ । କେଉଁଠିକୁ ସିଫ୍ଟ ହେବ, କେମିତି ରହିବ ସେନେଇ ପରିଚାଳନା କମିଟି ନିଷ୍ପତି ନେବ । ଗହଣାକୁ ଅନ୍ୟତ୍ର ସିଫ୍ଟ କରାଯିବା ସହ ସେହିଠାରେ ଗଣତି, ମଣତି କରାଯିବ । ଗହଣାର ଗଣତି, ମଣତି କିପରି କରାଯିବ, ସେନେଇ ମଧ୍ୟ ପୃଥକ୍ ସବ୍ କମିଟି ଗଠନ କରାଯିବ । ପୂର୍ବଥର ୭୦ ଦିନରୁ ଅଧିକ ସମୟ ଲାଗିଥିଲା । ତେବେ ଏଥର ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରାଯାଉଥିବାରୁ ଗଣତି ମଣତି କାର୍ଯ୍ୟ ଶୀଘ୍ର ସରିବା ଆଶା କରାଯାଉଛି । ଏହି ଗଣତି, ମଣତିରେ କିଏ ରହିବେ ସେନେଇ ଆମେ କେବଳ ପରାମର୍ଶ ଦେବୁ । ମହାପ୍ରଭୁ ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିବା ପୂର୍ବରୁ ଏହି ଗହଣା ସିଫ୍ଟ ହେବ ବୋଲି ଆଶା କରାଯାଉଛି । ଗହଣା ସିଫ୍ଟ ହେବା ପରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ । ସେହିପରି ପ୍ରଥମତଃ ଠାକୁରଙ୍କ ନୀତିକାନ୍ତି ଏବଂ ଦ୍ଵିତୀୟରେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଗୁରୁତ୍ଵ ଦିଆଯିବ ବୋଲି ରତ୍ନଭଣ୍ଡାର ଯାଂଚ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଶ୍ରୀ ରଥ କହିଛନ୍ତି ।