
ପୁରୀ, ଆଉ ଦିନକ ପରେ ଅର୍ଥାତ୍ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ରଥ ଉପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ରହିଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରଥକୁ କିପରି ଭକ୍ତ ମାନେ ଶାନ୍ତିଶୃଙ୍ଖଳାର ସହିତ ଟାଣିବେ ଓ ମହାପ୍ରଭୁଙ୍କ ଦର୍ଶନ କରିବେ ସେନେଇ ପୁରୀରେ ପୋଲିସ ପକ୍ଷରୁ ଗତକାଲି ଓ ଆଜି ମକଡ୍ରିଲ୍ କରାଯାଇଛି ।
ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ନୀତି ନିର୍ଘଂଟ, ଦ୍ରବ୍ୟ ଯୋଗାଣ ସମ୍ପର୍କରେ ବିଭିନ୍ନ ସେବାୟତ ନିଯୋଗକୁ ପରାମର୍ଶ ଦିଆଯାଇଛି । ରଥଯାତ୍ରା ବେଳେ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ନେଇ ପୋଲିସ ପକ୍ଷରୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବା ସହ ସହରର ବିଭିନ୍ନ ସ୍ଥାନରେ ୬୧ଟି ସିସିଟିଭି ଲଗାଯାଇଛି । ଶ୍ରୀମନ୍ଦିର ଭିତର, ବାହାର, ବଡ଼ଦାଣ୍ଡ ଓ ସମୁଦ୍ର କୂଳରେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।