-
ଏକ ପେଡ୍ ମା କେ ନାମ ଅଭିଯାନରେ ଓଡିଶାରେ ସର୍ବାଧିକ ୧.୪୮ ଲକ୍ଷ ଫଟୋ ଅପଲୋଡ୍ ହୋଇଛି- ମୁଖ୍ୟମନ୍ତ୍ରୀ
-
ଜିଲ୍ଲାପାଳ ଓ ଜିଲ୍ଲା ବନ ଅଧିକାରୀ ମିଳିତ ଭାବେ ମିନିଟରିଙ୍ଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-
ସାରା ରାଜ୍ୟରେ ୫ କୋଟି ଗଛ ଲଗାଇବାର ଲକ୍ଷ୍ୟ
-
ବଜ୍ରପାତରୁ ରକ୍ଷା ପାଇବା ପାଇଁ ୧୯ ଲକ୍ଷ ତାଳ ଗଛ ଲଗାଯିବ
-
ଦାରିଙ୍ଗବାଡିରେ ଲାଗିବ ଚେରି ବ୍ଲସମ୍ ଗଛ
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ‘ଏକ ପେଡ ମା କେ ନାମ’ ଅଭିଯାନ ଚାଲିଛି । ଏଥିରେ ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ଅଭିଯାନରେ ବର୍ତମାନ ସୁଦ୍ଧା ଓଡିଶାରେ ସର୍ବାଧିକ ୧ ଲକ୍ଷ ୪୮ ହଜାର ଫଟୋ ଅପଲୋଡ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଶୁକ୍ରବାର ସ୍ଥାନୀୟ ଡୁମୁଡୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜନତାଙ୍କ ସହଭାଗୀତା ଖୁବ ଉତ୍ସାହଜନକ । ଓଡିଶାରେ ଏହା ଖୁବ ସଫଲ ହେଉଛି । ସବୁ ରାଜ୍ୟ ମଧ୍ୟରେ ଓଡିଶା ସବୁଠାରୁ ଆଗରେ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ କୋଟି ଗଛ ଲାଗିବାର ଲକ୍ଷ୍ୟ ଅଛି । ଆମର ଲୋକସଂଖ୍ୟା ସାଢେ ଚାରି କୋଟି ହୋଇଥିବାରୁ, ଏହି ଅଭିଯାନରେ ଆମେ ଅତି କମରେ ସାଢେ ଚାରି କୋଟି ଗଛ ଲଗାଇବା ଦରକାର ବୋଲି ସେ କହିଥିଲେ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାମିଲ ହୋଇ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ବନ ଅଧିକାରୀ ମିଳିତ ମନିଟରିଂ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଜ୍ରପାତଜନିତ ଦୁର୍ଘଟଣାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ବନ ବିଭାଗ ତରଫରୁ ଏ ବର୍ଷ ରାଜ୍ୟରେ ଜଙ୍ଗଲ ବ୍ଲକ ଚତୁପାର୍ଶ୍ୱରେ ୧୯ ଲକ୍ଷ ତାଳଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଛି । ଏହା ଆମର ବଜ୍ର କବଚ ହେବ ।
ସେ ପୁଣି କହିଥିଲେ ଯେ ଦାରିଙ୍ଗବାଡିକୁ ବିଶ୍ୱ ଚେରି ବ୍ଲସମ ମାନଚିତ୍ରରେ ସ୍ଥାନିତ କରିବାକୁ ଦାରିଙ୍ଗବାଡିରେ ଚେରି ବ୍ଲସମ ଗଛ ଲଗାଯାଉଛି । ସେହିପରି ସାରା ରାଜ୍ୟରେ ପ୍ରାୟ ୫ କୋଟି ଗଛ ଲଗାଇବାର ଯୋଜନା ରହିଛି ।
କାର୍ଯ୍ୟକ୍ରମରେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଂଟିଆ କହିଲେ ଯେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଆଧୁନିକ ଜୀବନଶୈଳୀରେ ପରିବର୍ତନ ଓ ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ବର୍ତମାନ ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ସେ କହିଥିଲେ । ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କୁ ପରିବେଶ ପ୍ରତି ସଚେତନ ହେବାକୁ ଓ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଉତ୍ସବର ଆଭିମୁଖ୍ୟ ତଥା ଉପ ।ଦେୟତା ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଚଳିତ ବର୍ଷ ପଥପାର୍ଶ୍ୱ ବନୀକରଣ ଏବଂ ସହରାଂଚଳ ବନୀକରଣ ନିମନ୍ତେ ୩୦ ମାସିଆ ଚାରା ଉତ୍ପାଦାନ କରାଯିବ ।
ଏହି ମହୋତ୍ସବରେ ଜଙ୍ଗଲ ବିଭାଗର ବିଭାଗୀୟ ଅଧିକାରୀ, ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି, ନିମନ୍ତ୍ରିତ ଅତିଥି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ସମାରୋହ ପାଳିତ ହୋଇଥିଲା ।