
-
ଶିମଲା-ବିଳାସପୁର ହାଇୱେ ରେ ଜମିରହିଛି ମାଟିକାଦୁଅ
ଶିମଲା, ହିମାଚଳ ପ୍ରଦେଶରେ ବୁଧବାର ବିଳମ୍ବିତ ରାତିରୁ ଜାରି ରହିଥିବା ଭୀଷଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ଯୋଗୁଁ କେତେକ ସଡ଼କ ପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ୧୧୫ଟି ସଡ଼କ ପଥରେ ଯାତାୟାତ ବନ୍ଦ ରହିଛି । କିଛି ସ୍ଥାନରେ ପରିବହନ ନିଗମର ବସ୍ ଭୂ-ସ୍ଖଳନ କାରଣରୁ ଫସି ରହିଛି । ଏହା ବ୍ୟତୀତ ୨୧୨ ଟ୍ରାନ୍ସଫର୍ମର ଖରାପ ହୋଇପଡିଥିବାରୁ କେତେକ ଅଂଚଳ ଅନ୍ଧାକାର ମଧ୍ୟରେ ରହିଛି । ଭୀଷଣ ବର୍ଷା ଯୋଗୁଁ ନଦୀ ଏବଂ ନାଳରେ ଜଳସ୍ତର ବୃଦ୍ଧି ପାଇଛି ।
ଶିମଲା ସହରରେ ରାତିତମାମ ଭୀଷଣ ବର୍ଷା ଯୋଗୁଁ ଭୂ-ସ୍ଖଳନ ଏବଂ ଗଛ ଉପୁଡି ପଡିବା ନେଇ ବିପଦ ବଢିଛି । ସକାଳେ ପାହାଡ଼ରୁ ପଥର, ମାଟି ଖସିବା ଯୋଗୁଁ ଶିମଲା-ବିଳାସପୁର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୂ-ସ୍ଖଳନର ଏହି ଘଟଣା ଉପନଗର ଚକ୍କର ର ନିକଟବର୍ତୀ ବ୍ୟାରିୟରରେ ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ରାସ୍ତାରୁ ପଥର, ମାଟିକାଦୁଅ ହଟାଯାଇ ହାଇୱେ ର ଏକତରଫା ସଫା କରାଯାଇଛି । ଏହି ସମୟରେ ରାସ୍ତାରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା ।