-
ବିଏମସିରେ ବନ୍ୟା ପରିଚାଳନା ପାଇଁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-
୩୦ ଟି ୟୁନିଟ୍ କୁ ବୃଦ୍ଧି ପାଇବ ଓଡ୍ରାଫ କ୍ଷମତା
-
୩୯୪ କୋଟି ଟଙ୍କାରେ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି
-
୫ ଟି ରିଜନାଲ ଫାୟାର ସର୍ଭିସ୍ ହବ୍ କାର୍ଯ୍ୟକ୍ଷମ କରାଯିବ
-
ଦୁର୍ବଳ ନଦୀବନ୍ଧ ଓ ପୂର୍ବରୁ ଥିବା ଘାଇକୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪ରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କମିଟିର ସଦସ୍ୟ ମାନଙ୍କ ମତାମତ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସହରାଂଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ନଗର ଉନ୍ନୟନ ବିଭାଗ ପୌରାଂଚଳରେ ଥିବା ଡ୍ରେନ୍ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଂଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ । ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାୁଂଳରେ ବନ୍ୟା ପରିଚାଳନା ନିମନ୍ତେ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଂଟା କେଂଟ୍ରାଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପକାମୁଡାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ (ଆଂଟି ସ୍ନେକ୍ ଭେନମ୍) ଗଚ୍ଛିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ସତର୍କ ମୋବାଇଲ୍ ଆପ୍ ମାଧ୍ୟମରେ ଯେପରି ଭାବରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ଓଡ୍ରାଫ୍ ହେଉଛି ପ୍ରଥମ ରାଜ୍ୟସ୍ତରୀୟ ଡିଜାଷ୍ଟର ରେସପନ୍ସ ଫୋର୍ସ ଏବଂ ଏହା ସର୍ବ ଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଓଡ୍ରାଫ୍ ଓଡିଶାକୁ ସୁନାମ ଆଣିଛି । ବର୍ତମାନ ଏହା ୨୦ ଟି ୟୁନିଟ୍ ଥିବାବେଳେ ଏହାକୁ ୩୦ ଟି ୟୁନିଟ୍ କରିବା ସହ ଏକ ଊରୟସମବଗ୍ଧରୟ ଲକ୍ଟକ୍ସମର କରିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।
ସେହିପରି ଅଗ୍ନିଶମ ବିଭାଗ ଜିଲ୍ଲା ସ୍ତରରେ ଯେକୌଣସି ବିପର୍ଯ୍ୟୟ ହେଲେ ପ୍ରଥମେ ଅଂଶଗ୍ରହଣ କରନ୍ତି । ବିପର୍ଯ୍ୟୟ ସହାୟତା ପାଣ୍ଠି ରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ ଟି ରିଜନାଲ ଫାୟାର ସର୍ଭିସ୍ ହବ୍ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ ।
ଏହାସହିତ ଏ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ଏବଂ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କିପରି ହ୍ରାସ କରାଯିବ ସେଥିପ୍ରତି ସମସ୍ତ ବିଭାଗ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।
ବୈଠକର ପ୍ରାରମ୍ଭରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ରାଜ୍ୟ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ । ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ରାଜ୍ୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ଅଧିକ ରହିଥିଲେ ମଧ୍ୟ ବଜ୍ରପାତ, ଅଂଶୁଘାତ, ଘୁର୍ଣ୍ଣିଝଡ, ପାଣିରେ ବୁଡି ମୃତ୍ୟୁ, ଅଗ୍ନିକାଣ୍ଡ ଆଦି ଅନ୍ୟାନ୍ୟ ବିପର୍ଯ୍ୟୟମାନ ବର୍ଷ ତମାମ ଲାଗିରହିଥାଏ । ବାହାନଗାରେ ରେଳ ଦୁର୍ଘଟଣାରେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଉପଯୁକ୍ତ ଚିକିତ୍ସା ଆଦିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ଏବଂ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କର ଅବଦାନ ମଧ୍ୟ ଅତୁଳନୀୟ ବୋଲି ସେ ପ୍ରଶଂସା କରିଥିଲେ । ଏହା ସହିତ ନିକଟ ଅତୀତରେ ଝାରସୁଗୁଡା ଜିଲ୍ଲାରେ ଘଟିଯାଇଥିବା ମହାନଦୀ ଡଙ୍ଗାବୁଡି, ପୁରୀର ଅଗ୍ନିକାଣ୍ଡ ଏବଂ ପଶ୍ଚିମ ଓଡିଶାର ଅଂଶୁଘାତ ଜନିତ ମୃତ୍ୟୁ ନିମନ୍ତେ ସେ ଉଦବେଗ ପ୍ରକାଶ କରିଥିଲେ ।
ସେ କହିଥିଲେ ଯେ ଆମ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ସମସ୍ୟା ପ୍ରତି ଆମେ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସିଛୁ । ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଯେପରି କୌଣସି ଜୀବନ ହାନୀ ନ ହୁଏ ସେଥି ପ୍ରତି ଗୁରୁତ୍ୱ ଦେଇ ପ୍ରଚଳିତ ବ୍ୟବସ୍ଥାକୁ ଆମକୁ ସୁଦୃଢ କରିବାକୁ ହେବ । ସେଥି ପାଇଁ ଏ ସବୁର ସଫଳ ମୁକାବିଲା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ହୋଇଗଲାଣି ଏବେଠାରୁ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଆମ ରାଜ୍ୟ ପାଇଁ ପ୍ରଚୁର ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟର ସମ୍ଭାବନା ରହିଛି । ତେଣୁ ଏହି ସମୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଆମକୁ ବନ୍ୟା-ବାତ୍ୟା ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପ୍ରସ୍ତୁତିର ଉପଯୁକ୍ତ ସମୀକ୍ଷା କରିବାକୁ ହେବ ବୋଲି ସେ କହିଥିଲେ । ଏପରିକି କ୍ଷେତ୍ରୀୟ ସ୍ତର ପର୍ଯ୍ୟନ୍ତ ପ୍ରଶାସନକୁ ପରିସ୍ଥିତର ସାମନା କରିବା ପାଇଁ ସଜାଗ ରହିବାକୁ ପଡିବ । ଆଗୁଆ ସତର୍କ ସୂଚନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା ଆଦି କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପମାନ ନିଆଯିବାର ଆବଶ୍ୟକତା ରହିଛି । ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମାନଙ୍କୁ ତ୍ୱରିତ ପଦକ୍ଷେପ ନିମନ୍ତେ ସର୍ବଦା ସଜାଗ ରହିବାକୁ ହେବ ।
ଅପହଞ୍ଚ ଇଲାକାରେ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଗୋଖାଦ୍ୟ ମହଜୁଦ ରହିବା ଆବଶ୍ୟକ । ସମସ୍ତ ଆଶ୍ରୟସ୍ଥଳୀ ମାନଙ୍କରେ ମଧ୍ୟ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ଯୋଗାଣ ସାମଗ୍ରୀ ଗଚ୍ଛିତ ରହିବା ଆବଶ୍ୟକ । ଏପରିକି ଗର୍ଭବତୀ ମାଆ, ଶିଶୁ ଏବଂ ରୋଗୀ/ ବୃଦ୍ଧ ମାନଙ୍କର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।ବିଭିନ୍ନ ବିଭାଗ, ଜିଲ୍ଲା ଏବଂ ବ୍ଲକ ମାନଙ୍କରେ ନିୟନ୍ତ୍ରଣ କକ୍ଷ ୨୪ ଘଂଟା ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ ।
ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ତ୍ୱରିତ ପଦକ୍ଷେପ ନିଆଯିବ । ଆହତ ମାନଙ୍କୁ ଆଶୁଚିକିତ୍ସା ସହିତ ଉପଯୁକ୍ତ ଡାକ୍ତରୀ ଚିକିତ୍ସାର ମଧ୍ୟ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ଲୋକମାଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ ।
ଆମ ରାଜ୍ୟର ସମସ୍ତ ଜନତା ସେମାନଙ୍କ ଅଞ୍ଚଳର ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ବନ୍ଧରେ ସଚେତନ ହେବା ସହ ଗ୍ରାମ ପଂଚାୟତ ସ୍ତରରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ।