ଭୁବନେଶ୍ୱର, ଭବିଷ୍ୟନିଧି କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାର ଇପିଏଫ ସଂଶୋଧନ ନିର୍ଦ୍ଦେଶିକାକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ଓ ଫେଡ଼େରେସନ ସମୂହ ପକ୍ଷରୁ ଦାବି କରାଯାଇଛି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଶ୍ରମିକ ମିଳିତ ମଂଚର ଏକ ୨୦ ଜଣିଆ ପ୍ରତିନିଧି ଦଳ ଭବିଷ୍ୟନିଧିର ଆଂଚଳିକ ଆୟୁକ୍ତଙ୍କୁ ଭେଟି ୮ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଇପିଏଫ୍ ଆୟୁକ୍ତ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗାମୀ ଦିନରେ ଶ୍ରମିକମାନଙ୍କର ଇପିଏଫ୍ ଜମାକୁ ସୁନିଶ୍ଚିତ କରିବା ସହିତ ଓଡ଼ିଶା ଲଫ୍ଟ ଉଠା ଜଳସେଚନ, ସେସ୍କୋ, ଓଟିଏମ୍, ସେୱା ପେପର ମିଲ୍ କାର୍ଯ୍ୟରତ ଶ୍ରମିକମାନଙ୍କର ପେନସନ ଓ ଇପିଏଫ୍ ଅଂଶଧନ ସମସ୍ୟାକୁ ଶିଘ୍ର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବା ସହିତ ପ୍ରତି ୩ ମାସରେ ଥରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ସହିତ ଏକ ସମନ୍ୱୟ ବୈଠକ ଆହୁତ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।
ଗତ ଜୁନ୍ ୧୪ ତାରିଖରେ କେନ୍ଦ୍ର ସରକାରଙ୍କ ଶ୍ରମ ଓ କର୍ମ ସଂସ୍ଥାନ ମନ୍ତ୍ରଣାଳୟ ପକ୍ଷରୁ ୫ଟି ନିର୍ଦ୍ଦେଶିକା ଜାରି କରିଛି ଓ ଏହି ନିର୍ଦ୍ଦେଶିକାରେ ଭବିଷ୍ୟନିଧି ଯୋଜନା ଓ ପେନସନ ଯୋଜନା ସହିତ ଇଡ଼ିଲି ଯୋଜନା ଓ ଅନ୍ୟାନ୍ୟ ଯୋଜନାରେ ସଂଶୋଧନ କରାଯାଇ ଗେଜେଟ୍ରେ ପ୍ରକାଶ ହୋଇଛି ।
ଏହି ପ୍ରତିନିଧିମଣ୍ଡଳୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ମଦନ ମୋହନ ଧଳ, ଏ.ଆଇ.ଟି.ୟୁ.ସିର ସାଧାରଣ ସମ୍ପାଦକ – ବିଜୟ ଜେନା, ଜୟନ୍ତ ଦାସ, ଏଚ.ଏମ୍.ଏସ୍ ସଭାପତି-କୃଷ୍ଣଚନ୍ଦ୍ର ପାତ୍ର ଭୁବନାନନ୍ଦ ମହାପାତ୍ର, ସି.ଆଇ.ଟି.ୟୁ.ର ସମ୍ପାଦକ- ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଏ.ଆଇ.ୟୁ.ଟି.ୟୁ.ସିର ସାଧାରଣ ସମ୍ପାଦକ-ଜୟସେନ ମେହେର, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ସାଧାରଣ ସମ୍ପାଦକ- ମହେନ୍ଦ୍ର ପରିଡ଼ା ଓ ବଂଶୀଧର ପରିଡ଼ା, ଟିୟୁସିସିର ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର, ଲକ୍ଷ୍ମୀଦୋରା, ଏଲପିଏଫର ସାଧାରଣ ସମ୍ପାଦକ – ମନୋରଞ୍ଜନ ମହାରଣା ଓ ମଧୁସୁଦନ , ଏଓଇପିଏଫ୍ଏର କାର୍ଯ୍ୟକାରୀ ସଭାପତି-ପ୍ରଫୁଲ କୁମାର ଦାସ ଯୋଗଦାନ କରିଥିଲେ । ଏହି ସମସ୍ୟାକୁ ସମାଧାନ କରାନଗଲେ ଆଗକୁ ଶ୍ରମିକ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତାମାନେ ଚେତାବନୀ ଦେଇଥିଲେ ।