ଜୟପୁର, ଜୟପୁର ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏକ ସ୍ମାରକ ପତ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁଙ୍କୁ ଆନ୍ଧ୍ର୍ରପ୍ରଦେଶର ଶ୍ରୀକାକୁଲମ୍ ଠାରେ ପ୍ରଦାନ କରାଯାଇଛି । ଏହି ପତ୍ରରେ ଦର୍ଶାଯାଇଛି ଯେ, ଜୟପୁର ଉଡ଼ାଜାହାଜ ପଡ଼ିଆ ୧୯୬୨ ମସିହାରୁ ପ୍ରତିଷ୍ଠିତ ହୋଇଛି । ୧୯୮୦ ମସିହାରେ ଏଠାରୁ ଭୁବନେଶ୍ଵର ଏବଂ ବିଶାଖପାଟଣାକୁ ବାୟୁଦୂତ ୧୯ ସିଟ୍ ବିଶିଷ୍ଟ ବିମାନସେବା ଦେଉଥିଲା, କିନ୍ତୁ ତାହା ପରେ ବନ୍ଦ ହୋଇଥିଲା । ଗତ ୨୦୨୩ ମସିହାରେ କେନ୍ଦ୍ର ସରକାର ଏହି ବିମାନ ବନ୍ଦରକୁ ଉଡ଼ାନ୍ ଯୋଜନାରେ ସାମିଲ୍ କରି ୯ ସିଟ୍ ବିଶିଷ୍ଟ ବିମାନସେବା ଭୁବନେଶ୍ଵର ଏବଂ ବିଶାଖପାଟଣାକୁ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ୨୩୨ କୋଟି ଟଙ୍କା ଏହାର ସଂପ୍ରସାରଣ ପାଇଁ ଦେଇଥିବା ବେଳେ ଏହା ସମ୍ଭବ ହେଲେ ୭୨ ସିଟ୍ ବିଶିଷ୍ଟ ବିମାନ ଏଠାରୁ ଉଡ଼ିପାରିବ । ବର୍ତ୍ତମାନ ଏହି ବିମାନ ବନ୍ଦର ବିଭାଗର ୨ସି କ୍ୟାଟେଗୋରୀ ରହିଥିବା ବେଳେ ଏଥିପାଇଁ ୩ସି କ୍ୟାଟେଗୋରୀ ଆବଶ୍ୟକତା ରହିଛି । ତତ୍ସହ ଭୁବନେଶ୍ଵର-ହାଇଦ୍ରାବାଦ୍ ମଧ୍ୟରେ ୩୬ ସିଟ୍ ବିଶିଷ୍ଟ ବିମାନସେବା ଆରମ୍ଭ କରି ଏହା ଭାୟା ଜୟପୁର ଦେଇ ଉଡ଼ାଇଲେ ଅବିଭକ୍ତ କୋରାପୁଟ ଜିଲ୍ଲା ବାସିନ୍ଦା ଉପକୃତ ହେବେ ବୋଲି ସଂସ୍ଥା ପକ୍ଷରୁ ଯୁକ୍ତି ରଖାଯାଇଛି । ଯେଉଁଠି ୩୦ ଭାଗ ଲୋକ ତେଲୁଗୁ ଭାଷୀ ରହିଛନ୍ତି । ସେମାନଙ୍କ ସୁବିଧା ପାଇଁ ଏହି ସେବା ଅତ୍ୟନ୍ତ ଜରୁରୀ ବୋଲି ଏହି ପତ୍ରରେ ତଥ୍ୟ ଦିଆଯାଇଛି । ଏହି ପତ୍ର ପାଇବା ପରେ ମନ୍ତ୍ରୀ ନାଇଡ଼ୁ ନିଶ୍ଚିତ ରୂପେ ଆପଣଙ୍କ ଦାବିକୁ ବିଭାଗ ବିଚାରକୁ ନେବ ବୋଲି ପ୍ରତିଶୃତି ପ୍ରଦାନ କରିଥିବା ଜଣାଯାଇଛି । ଉକ୍ତ ପତ୍ରକୁ ଅନୁଷ୍ଠାନର ସଭାପତି ଭି.ପ୍ରଭାକର ଆଜି ମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଜଣାଯାଇଛି ।
ଏହି ପତ୍ର ପ୍ରଦାନ ସମୟରେ ଆର୍ ଶ୍ରୀନୁ, ମାଧବ ପ୍ରମୁଖ ଉପସ୍ଥିତ ରହିଥିଲେ ।