ଭୁବନେଶ୍ୱର– ଆଇପିଏସ ଜମି କେଳେଙ୍କାରୀ ମାମଲାରେ ପୂର୍ବତନ ପୋଲିସ ଅଧିକାରୀ ନାଗେଶ୍ୱର ରାଓ ତାଙ୍କ ନାମ ଆଣିଥିବାରୁ ସେ ତାଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଓଡ଼ିଶାରେ ନାଗେଶ୍ଵର ରାଓ ସିଆରପିଏଫ୍ ଆଇଜି ଥିବା ବେଳେ ସେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ। ସେହି ସମୟରେ ଭୁଲ ଭାବେ ସିଆରପିଏଫଙ୍କୁ ନିୟୋଜିତ କରିବା ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା। ସେଥିପାଇଁ ନାଗେଶ୍ୱରଙ୍କ ବିରୋଧରେ ସେ ସମୟରେ ମାରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ। ଏବେ ସେହି ରାଗ ସେ ସୁଝାଉଥିବା ମାରିକ ଅଭିଯୋଗ କରିଛନ୍ତି ।
ଶ୍ରୀ ମାରିକ ଆହୁରି କହିଛନ୍ତି ଯେ ତାଙ୍କ ପୁଅ ସେଠି ସମସ୍ତ କାଗଜପତ୍ର ଦେଖି ୩ ଗୁଣ୍ଠ ଜମି କିଣିଛନ୍ତି। ସେ କୌଣସି ସରକାରୀ ଜମି କିଣି ନାହାନ୍ତି। ଅପରପକ୍ଷରେ ସେଠି ଜମି କିଣିବା ପାଇଁ ସେ କାହାକୁ ପ୍ରବର୍ତ୍ତାଇ ନଥିବା କହିଛନ୍ତି। ନାଗେଶ୍ଵର ରାଓ ସେଠି ୯ ଲକ୍ଷ ଟଙ୍କାରେ ଜମି କିଣି ୩ ବର୍ଷ ପରେ କୋଟିଏ ଟଙ୍କାରେ ଜମି ବିକ୍ରି କରି ଟଙ୍କା ନେବା ପାଇଁ ଚାହୁଁଥିଲେ। ଯେଉଁଥିପାଇଁ ଜମି ମାଲିକଙ୍କ ସହ ତାଙ୍କର ଏକ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ନାଗେଶ୍ଵର ଜମି ଠକେଇ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିବା ନେଇ କୌଣସି ଖବର ସେ ଜାଣିନଥିଲେ କି କୌଣସି ହସ୍ତକ୍ଷେପ କରିନଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି ।