ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଭଗାମୁଣ୍ଡା ବନପାଳ ଅଧିନସ୍ଥ କାଦକିଳା ଓ ଗୁରାସାହିକୁ ପାନୀୟ ଜଳ ଓ ବିଦ୍ୟୁତିକରଣ ଅପହଞ୍ଚ, ବାଧକ ସାଜିଛି ବନବିଭାଗ । ସୂଚନା ମୁତାବକ କାଦକିଳା ସାହିରେ ୩୧ ଘର ଓ ଗୁରାସାହିରେ ୨୨ ଘର ଆଦିବାସୀ ଶ୍ରେଣୀର ଲୋକ ଦୀର୍ଘବର୍ଷ ଧରି ବସବାସ କରୁଛନ୍ତି । ହେଲେ ସ୍ବାଧୀନତାର ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ପ୍ରଶାସନ ବିଫଳ । ଉଭୟ ସାହିକୁ ଯାତାୟାତ ପାଇଁ କିଛି ବାଟ ପିଚୁ, ପକ୍କା ଓ ମାଟି ରାସ୍ତା ଥିବା ବେଳେ ବିଦ୍ୟୁତିକରଣ ଓ ପାନୀୟ ଜଳ ଯୋଗାଣ ପାଇଁ ବନବିଭାଗର ସ୍ଵିକୃତି ମିଳୁନଥିବା ଅଭିଯୋଗ ହୋଇଛି । ବିଦ୍ୟୁତିକରଣ ନିମନ୍ତେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଖୁଣ୍ଟ ପକାଯାଇଥିବା ବେଳେ ବନବିଭାଗ ପୋତିବା ପାଇଁ ଦେଇନଥିଲେ । ସେହିଭଳି ମେଘା ଜଳ ପ୍ରକଳ୍ପ ପକ୍ଷରୁ ସାହିକୁ ପାଣି ପାଇପ୍ ବିଛା ଯାଉଥିବା ବେଳେ ତାହାକୁ ମଧ୍ୟ ବନବିଭାଗ ବନ୍ଦ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ଜଙ୍ଗଲ ସୁରକ୍ଷା ନାଁ ରେ ବନବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ସୃଷ୍ଟି କରିବା ବଦଳରେ ନଷ୍ଟ କରିବାରେ ବ୍ୟସ୍ତ ରହିଛି । ଏନେଇ ଦାୟିତ୍ଵରେ ଥିବା ବନପାଳ ମଙ୍ଗୁଳି ଚରଣ ସାହାଙ୍କ ପ୍ରତିକ୍ରିୟା ନେବାରୁ ଏହା ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯାଉଛି, ତେଣୁ ବିଦ୍ୟୁତ୍ ଓ ଜଳ ଯୋଗାଣ ପାଇଁ ଅନୁମତି ମିଳିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଯେ ଜନସାଧାରଣଙ୍କ ଉଦ୍ଦିଷ୍ଟ ପାଇଁ ଯଦି ରାସ୍ତା ନିର୍ମାଣ ହୋଇପାରିଲା ତେବେ ରାସ୍ତା ପାର୍ଶ୍ଵରେ ପାଣି ପାଇପ୍ କିମ୍ବା ବିଦ୍ୟୁତ୍ ଖୁଣ୍ଟ କ”ଣ ପାଇଁ ପୋତା ଯାଇପାରିବ ନାହିଁ । ରାସ୍ତାର ଦୁଇ ପାର୍ଶ୍ୱରେ ଗଛ ନଥିବା ସହ ଫାଙ୍କା ସ୍ଥାନ ଥିବା ସତ୍ବେ ଦୁଇ ସାହିର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବାଧକ ସାଜିଛି ବନବିଭାଗ । ଅନ୍ୟ ପଟେ ଦିନ ଦ୍ବିପହରେ ମୂଲ୍ୟବାନ ଗଛ କାଟି ମାଫିଆ ମାଲେମାଲ୍ ହେଉଥିଲେ ହେଁ ବନବିଭାଗ କିଛି ଟେର ପାଉନାହିଁ । ଏଥିପ୍ରତି ବନବିଭାଗର ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଜଙ୍ଗଲ ନଷ୍ଟ ନହୋଇ ଉକ୍ତ ଦୁଇ ସାହିକୁ ମୌଳିକ ସୁବିଧା ଯୋଗାଇବାରେ ସହଯୋଗ କଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ।
Related Stories
November 21, 2024
November 21, 2024