କନ୍ଧମାଳ- କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ । କୌଣସି ଅପରାଧ ଶ୍ରେଣୀର ଲୋକ ନୁହନ୍ତି, ଖଜୁରୀପଡା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀ ନାୟକ ଏବଂ ଶିକ୍ଷକ ସ୍ୱାମୀ ବିନୋଦ କୁମାର ନାୟକ ଏହି ଧମକ ଦେଇଛନ୍ତି । ଘଟଣା ନେଇ ସମ୍ବାଦଦାତା ବୈଦ୍ୟନାଥ ବେହେରା ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ଦେବାର ୨୪ ଘଂଟା ବିତିଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ହାତବାନ୍ଧି ବସିଛି । ସମ୍ପୃକ୍ତ ଶିକ୍ଷକ ଦମ୍ପତିଙ୍କୁ ଏ ପର୍ଯ୍ୟନ୍ତ ପଚରା ଉଚରା କରିନାହିଁ ।
ଖଜୁରୀପଡା ବ୍ଲକ ଦୂତିମେଣ୍ଡିଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟର ଅଭିଭାବକ ସଂଘ ସଭାପତି ବୈଦ୍ୟନାଥ ଅଛନ୍ତି । ବିଗତ ଦିନରେ ବିଦ୍ୟାଳୟରେ ପାଠ ପଢ଼ା ନ ହେବା, ପିଲାଙ୍କୁ ଠିକ୍ ଭାବେ ଖାଇବାକୁ ନ ଦିଆଯିବା, ପ୍ରିନ୍ସିପାଲଙ୍କ ମନମୁଖି କାର୍ଯ୍ୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଜିଲାପାଳଙ୍କୁ ଅବଗତ କରିଥିଲେ । ଏହାପରେ ସମସ୍ତେ ଭୁବନେଶ୍ୱର ଯାଇ ବିଭାଗ ନିଦେ୍ର୍ଧଶକଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ଦେଇଥିଲେ । ନିକଟରେ ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀଙ୍କର ଅନ୍ୟତ୍ର ବଦଳୀ ହୋଇଛି । ଏହା ଜାଣିବା ପରେ ଗୁରୁବାର ରାତିରେ ବନଶ୍ରୀ ନାୟକ ଏବଂ ସ୍ୱାମୀ ବିନୋଦ ଜିରିଙ୍ଗିପଡା ପାଖ ଗୋପାଳସାହିରେ ରହୁଥିବା ବୈଦ୍ୟନାଥଙ୍କ ଘରକୁ ଆସି ହଠାତ ଗାଳି ଗୁଲଜ ଆରମ୍ଭ କରିଥିଲେ । ତୁମ ପାଇଁ ମୋର ବଦଳୀ ହେଲା । ଆମେ ତୁମକୁ ଛାଡିକୁ ନାହିଁ । ଜୀବନରେ ମାରି ଦେବୁ କହି ଅସଭ୍ୟ ଭାଷାରେ ଗାଳି କରିଥିଲେ । ସାହି ଲୋକେ ବାହାରିବାରୁ ସେମାନେ ସେଠାରୁ ଚାଲି ଯାଇଥିଲେ । ମୋର ଜୀବନ ପ୍ରତି ଭୟ ରହିଛି ବୋଲି ବୈଦ୍ୟନାଥ ପ୍ରକାଶ କରିବା ସହ ଏତଲାରେ ଏହା ଦର୍ଶାଇଛନ୍ତି । ଏ ନେଇ ବନଶ୍ରୀଙ୍କୁ ତାଙ୍କ ମୋବାଇଲ ନଂରେ ଯୋଗଯୋଗ କରାଯାଇଥିଲେ ହେଁ ସୁଇଚ୍ଅପ୍ ଥିବାରୁ ମତାମତ ନେବା ସମ୍ଭବ ହୋଇପାରିନାହିଁ । ଥାନାଧିକାରୀ ନରେଶ କୁମାର ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ।