ହରିଚନ୍ଦନପୁର– ଜଙ୍ଗଲ ଆମର ଜାତୀୟ ସମ୍ପଦ ଏହାର ସୁରକ୍ଷା ଆମ ଦାୟିତ୍ଵ, କିନ୍ତୁ ଜଙ୍ଗଲ ସୁରକ୍ଷା କରିବାକୁ ଯାଇ ଶହ ଶହ ମୂଲ୍ୟବାନ ଗଛ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଭଗାମୁଣ୍ଡା ବନପାଳ ଅଧିନସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି । ଲାଭଖୋର ଠିକାଦାର ଓ ବନବିଭାଗ ଖାମଖିଆଲି ମନୋଭାବ ନେଇ ନିର୍ମାଣ ହୋଇଛି ଦେଢରୁ ଦୁଇ କିଲୋମିଟର ବିଶିଷ୍ଟ ବନାଞ୍ଚଳ ବର୍ଷା ଜଳ ସଂରକ୍ଷଣ ବନ୍ଧ । ଯାହାର ଉଦ୍ଦେଶ୍ୟ ଜଙ୍ଗଲ ପାର୍ଶ୍ବରେ ବର୍ଷା ଜଳ ସଂରକ୍ଷଣ ତଥା ବନ ମୃତ୍ତିକାକୁ ଉର୍ବର କରିବା । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିର୍ମାଣ ସ୍ଥାନରେ ଥିବା ଗଛ ଗୁଡିକର ସୁରକ୍ଷା ଏବଂ ଦାୟିତ୍ଵ ଉପରେ ? ବନ ବିଭାଗର ଲକ୍ଷାଧିକ ଟଙ୍କାର ବ୍ୟୟ ବରାଦରେ ଏହି ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ବନ୍ଧ ନିର୍ମାଣ କାର୍ଯ୍ୟରେ ଶହଶହ ମୂଲ୍ୟବାନ ଗଛକୁ ନଷ୍ଟ କରି ବନ୍ଧ ତଳେ ପୋତି ଦିଆଯିବା ସହ ଅନେକ ଶୁଖିଲା ଗଛ ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବନ ବିଭାଗ ଏବଂ ଠିକାଦାର ଗଛର ସୁରକ୍ଷା ଉପରେ ଦୃଷ୍ଟି ନଦେଇ ଛୋଟ, ବଡ ଓ ମଧ୍ୟମ ଧରଣର ଗଛ ଗୁଡିକୁ ନଷ୍ଟ କରି ଦେଇଥିବା ବନ ସଂଲଗ୍ନ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ଗୋଟିଏ ପଟେ ସରକାର ଜଙ୍ଗଲ ସୁରକ୍ଷା ସହିତ ବନୀକରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି, କିନ୍ତୁ ଏଠାରେ ବନ ବିଭାଗ ଓ ଠିକାଦାର ଗଛ ଗୁଡିକର ସୁରକ୍ଷା ଦିଗରେ ଚିନ୍ତା ନକରି ଅଧିକ ଅର୍ଥ ଲାଭ ଆଶାରେ ଗଛ ଗୁଡିକୁ ନଷ୍ଟ କରିଥିବା ନଜରକୁ ଆସିଛି । ତେବେ ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା ତ ଆଉ ଗୋଟିଏ ପଟେ ଗଛ ଗୁଡିକର କ୍ଷୟକ୍ଷତି ନେଇ ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ବଡ ଦୁର୍ନୀତି ହୋଇଥିବାର ଅଞ୍ଚଳରେ ଚର୍ଚ୍ଚା ଯୋର୍ ଧରିଛି । ଏଥିପ୍ରତି ବନବିଭାଗର ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ସଠିକ୍ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ହୋଇଛି ।