ଭୁବନେଶ୍ୱର– ଆଇପିଏସ୍ ଆଶିଷ ସିଂହଙ୍କୁ ନେଇ ଗୃହ ବିଭାଗର ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ । ସେ କହିଛନ୍ତି ଯେ ଆଶିଷ ଜୁନ୍ ୩ ତାରିଖଠାରୁ କାର୍ଯ୍ୟରେ ଯୋଗଦେଇଛନ୍ତି । ଗତ ୧୭ ତାରିଖରେ ଡିଜିପି କ୍ୟାମ୍ପ ଅଫିସ ମିଟିଂରେ ବି ସେ ସାମିଲ ଥିଲେ । ଆଶିଷ ତାଙ୍କ ଜଏନିଂ ରିପୋର୍ଟ ଏସ୍ଆଇଡବ୍ଲୁରେ ଦେଇଛନ୍ତି । ଏହା ରୁଟିନ୍ କରେସ୍ପଣ୍ଡେଂଟ, ହୁଏତ ଚିଠିଟି ରହିଯାଇଥିବ । ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଇ ଦିଆଯାଇଛି ବୋଲି କହିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ ।
ସୂଚନାଯୋଗ୍ୟ ଯେ ଆଇପିଏସ୍ ଆଶିଷ ସିଂହ ଏବେ କେଉଁଠି ବୋଲି ପ୍ରଶ୍ନ କରି ଗୃହ ବିଭାଗ ଗତକାଲି ପାଲିସ ଡିଜିଙ୍କୁ ଚିଠି ଲେଖିଥିଲା । ଆଶିଷ ଚାକିରିରେ ଯୋଗ ଦେଲେଣି କି ? ସ୍ୱାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ । ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ କିଛି ସୂଚନା ନାହିଁ । ସେ କାର୍ଯ୍ୟରେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି, ବିଭାଗକୁ ଖବର ମିଳିନି । ତେଣୁ ତାଙ୍କ ବିଷୟରେ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ ଉଲ୍ଲେଖ କରାଯାଇଥିଲା ।