ଭୁବନେଶ୍ୱର– ଉତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟାରେ କିଛି ଜିଲ୍ଲାରେ ପବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଂଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ,ରାୟଗଡା, ନୟାଗଡ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଖୋର୍ଦ୍ଧା , ପୁରୀ, ବାଲେଶ୍ୱର, ଯାଜପୁର, କଟକ, ବଲାଙ୍ଗିର, ନୂଆପଡା, ବୌଦ୍ଧ , ଅନୁଗୁଳ, ଢେଙ୍କାନାଳ, ଗଜପତି, କେନ୍ଦୁଝର, ମୟୁରଭଂଜ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୯ରୁ ୩୦ ତାରିଖ ମଧ୍ୟରେ କେନ୍ଦୁଝର, ମୟୁରଭଂଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଲଘୁଚାପ ପ୍ରଭାବରେ କିଛି ଦିନ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଗାମୀ ତିନି ଦିନ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଅପରପକ୍ଷରେ ଗତ ୨୪ ଘଂଟାରେ ୭ ସହରରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜୟପୁରରେ ସର୍ବାଧିକ୧୧୬ ମିଳିମିଲିଟର ବର୍ଷା ହୋଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।