ଭୁବନେଶ୍ୱର, ଓଡିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହିତ ସମସ୍ତ ବ୍ଲକରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା, ଚାଷ ଜମିକୁ ଜଳସେଚିତ କରିବା ଓ ଧାନ କ୍ୱଇଂଟାଲ ପ୍ରତି ୩୧ଶହ ଟଙ୍କା ଚାଷୀଙ୍କୁ ଦେବାକୁ ନେଇ ବିଜେପି କୃଷକମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ବ୍ୟାପକଭାବେ ଚାଷୀ ସମାବେଶ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦିଆଯିବ । ଏହାର ଶୁଭାରମ୍ଭ ଆସନ୍ତା ଜୁନ୍ ୩୦ତାରିଖ କେନ୍ଦୁଝର ଜିଲ୍ଲାର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଆନନ୍ଦପୁର ସବ୍ଡିଭିଜନ ଅନ୍ତର୍ଗତ ଶାଳନ୍ଦୀ ଡ୍ୟାମ ହଦଗଡଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩୬ଟି ସାଂଗଠନିକ ଜିଲ୍ଲାରୁ ଦୁଇ ଶହ ଚାଷୀ ନେତାମାନେ ଯୋଗଦାନ କରିବେ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବରିଷ୍ଠ ଚାଷୀ ନେତାମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ପରେ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ ଓ ପଂଚାୟତମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ “ଧନ୍ୟବାଦ କାର୍ଯ୍ୟକ୍ରମ”କୁ ବ୍ୟାପକଭାବେ କରାଯିବ ବୋଲି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ସୂଚନା ଦେଇଛନ୍ତି ।
ଆସନ୍ତା ଖରିଫ ଧାନକିଣା ପ୍ରାରମ୍ଭ ଦିନ ଏହି କାର୍ଯ୍ୟକ୍ରମର ସମାରୋପ ଏକ ବିଶାଳ ଚାଷୀ ସମାବେଶ ଆୟୋଜନ କରାଯିବ । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଖରିଫ ଧାନ କିଣା ସମୟରେ ଧାନ କୁଇଂଟାଲ ପ୍ରତି ୩୧ଶହ ଟଙ୍କା ଚାଷୀମାନଙ୍କୁ ଦିଆଯିବା ପାଇଁ ଘୋଷଣା କରିଥିବାରୁ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି ।