
-
ଫାନ୍ସ ଆନୁକୁଲ୍ୟରେ ଦ ଲ କଲେଜରେ ନ୍ୟାୟ ସଂହିତା ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ
କଟକ– ଆଜି ରାଷ୍ଟୀୟ ସୁରକ୍ଷା ଜାଗରଣ ମଂଚ (ଫାନ୍ସ), କଟକ ଶାଖା ଆନୁକୂଲ୍ୟରେ ନ୍ୟାୟ ସଂହିତା ଶୀର୍ଷକରେ ଦ ଲ କଲେଜରେ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ଆଇନଜ୍ଞ ରଞ୍ଜନ କୁମାର ନାୟକ କହିଲେ, ନ୍ୟାୟ ସଂହିତା ବିଧିଶାସ୍ତ୍ରରେ ଭାରତର ଏକ ଅଭିନବ ପ୍ରୟୋଗ । ଶବ୍ଦ ଭାବର ଦ୍ଯୋତକ । ନ୍ୟାୟ ଶବ୍ଦ ଦଂଡ ବିଧି ବଦଳରେ ପ୍ରୟୋଗ ହେବା ଏକ ସକାରାତ୍ମକ ପଦକ୍ଷେପ ।ଫାନ୍ସର ଯୁଗ୍ମ ଆବାହକ ଆଇନଜୀବୀ ସୌଭାଗ୍ୟ ସ୍ୱାଇଁ ଫାନ୍ସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟ ରେ ଆଗନ୍ତୁକ ମାନଙ୍କୁ ଜଣାଇ ଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ସୁପ୍ରଭା ରାଉତ, ସଂପ୍ରତି ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ମହତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଡା ପ୍ରଦ୍ଯୋତ କୁମାର ତ୍ରିପାଠୀ ସାଧାରଣ ଲୋକଙ୍କ କଥା ଓ କାହାଣୀ କହିଥିଲେ । ସମ୍ମାନିତ ଅତିଥି ଅଶୋକ ପଟ୍ଟନାୟକ ଦେଶର ସୁରକ୍ଷାପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଦ ଲ କଲେଜର ଅଧ୍ୟକ୍ଷ ସୁମନ୍ତ କୁମାର ରାୟ ସ୍ୱାଗତ ବକ୍ତବ୍ୟରେ ନ୍ୟାୟ ସଂହିତା କିପରି ନ୍ୟାୟ ପ୍ରଦାନରେ ମାଇଲଖୁଣ୍ଟି ହୋଇ ପାରିବ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଫାନ୍ସର ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଡା ମାନଭଞ୍ଜନ କହଁର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଯୁଗ୍ମ ଆବାହକ ଆଇନଜୀବୀ ସୌଭାଗ୍ୟ ସ୍ୱାଇଁ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକାରିଣୀ ସଦସ୍ୟ ତ୍ରିଲୋଚନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଆବାହକ ଆଇନଜୀବୀ ବିଭୁପ୍ରଦାସ ଦାସ, ପ୍ରତାପ କୁମାର ସାହୁ, ସଞ୍ଜୟ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।