
ଘଟଗାଁ– କେନ୍ଦୁଝର ଜିଲ୍ଲାର ପ୍ରମୁଖ ଶକ୍ତି ଦେବୀ ପୀଠ ସ୍ଥଳୀ ଘଟଗାଁ ବଜାରରେ ଥିବା ଶୌଚାଳୟ ଟିକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବା ନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ଘଟଗାଁ ତହସିଲଦାର ଭବାନୀ ପ୍ରଧାନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ , ରାଜନୈତିକ ଆକ୍ରୋଶର ଶିକାର ହୋଇ ଘଟଗାଁ ପୁରୁଣା ବସଷ୍ଟାଣ୍ଡ ନିକଟରେ ରହିଥିବା ଏହି ଶୌଚାଳୟଟି ଦୀର୍ଘ ୩ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ବନ୍ଦ ହୋଇ ରହିଛି । ଯାହା ଫଳରେ ଘଟଗାଁକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏ ସମସ୍ୟା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ବିଧାୟକଙ୍କ ଚାପରେ ପଡି ପ୍ରସାଶନ ପକ୍ଷରୁ ଶୌଚାଳୟ ଖୋଲିବା ନେଇକୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିଲା । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ଆଜି ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ପଟ୍ଟନାୟକ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ , ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ଜୟଦେବ ଗିରି , ପୂର୍ବତନ ଢେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ , ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ରୁଦ୍ର ପ୍ରସାଦ ବେହେରା , ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା , ପୂର୍ବତନ ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ, ଆନନ୍ଦ ମହାନ୍ତ ପ୍ରମୁଖ ଘଟଗାଁ ତହସିଲଦାର ଭବାନୀ ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଶୌଚାଳୟଟିକୁ ସର୍ବସାଧାରଣ ନିମନ୍ତେ ଖୋଲିବା ପାଇଁ ଦାବି ଜଣାଇଛନ୍ତି । ଯଦି ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆନଯାଏ ତେବେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ଖୁବଶୀଘ୍ର କିପରି ଶୌଚାଳୟ ଟି ଖୋଲାଯିବ ସେନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।