ବଲାଙ୍ଗୀର: ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବା ସହିତ ମହାସମାରୋହରେ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସାଧାରଣ ପରିଷଦ ବୈଠକରେ ଅନୁଷ୍ଠାନର ସଭାପତି ନାରାୟଣ ପାଢୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଶେଖର ଦର୍ଜି, ଉପ-ସଭାପତି ହରେକୃଷ୍ଣ ମେହେର, ସାଧାରଣ ସଂପାଦକ ଅଶୋକ କୁମାର ଚାନ୍ଦ ଓ କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର କବାଟ ମଂଚାସିନ ଥିଲେ । ପ୍ରଥମେ ଦିବଂଗତ ସଦସ୍ୟ ଅନ୍ତର୍ଯ୍ୟାମି ପୁରୋହିତ, ମାଲିଆ ଗଡୁଆ ଓ ସୁରେନ୍ଦ୍ର କୁମାର ନାଏକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ଗୌର ଚନ୍ଦ୍ର ପୁରୋହିତ, କପିଳେଶ୍ୱର ଖମାରୀ, ସନାତନ ଠାକୁର, ବାସୁଦେବ ମେହେର, ପ୍ରଭାକର ମିଶ୍ର, ଜୟଚନ୍ଦ୍ର ସାହୁ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ରଖିବା ସହିତ ପ୍ରସ୍ତାବମାନ ଆଗତ କରିଥିଲେ ଏବଂ ଅତିରିକ୍ତ ସଂପାଦକ ନିଳାଂଚଳ ଚିରଗୁନ ଧନ୍ୟବାଦ ଅର୍ପଣ କରିଥିଲେ । ନୂତନ ସଦସ୍ୟ ଶିବ ନାରାୟଣ ରଥ, ଅଭିରାମ ପ୍ରଧାନ, ପ୍ରଦିପ୍ତ କୁମାର ମିଶ୍ର, ଉମାଶଙ୍କର ସାହୁ ଓ ମହେଶ୍ୱର ସାହୁଙ୍କୁ ସ୍ୱାଗତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରି ଋଷିକେଶ ମୁଖ୍ୟ ଅତିଥି ଥିବା ବେଳେ, ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମଂଚର ସାଂଗଠନିକ ସଂପାଦକ ନାରାୟଣ ନାୟକ, କୋଷାଧ୍ୟକ୍ଷ କେଦାର ମିଶ୍ର, ଜୋନାଲ ସଂପାଦକ ଧନେଶ୍ୱର ମେହେର, ସ୍ୱତନ୍ତ୍ର ଅତିଥି ଓ ଉପ-ସଭାପତି ପ୍ରଭାକର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ବଲାଙ୍ଗିର ବରିଷ୍ଠ ନାଗରିକ ମଂଚର ସଭାପତି ନାରାୟଣ ପାଢୀ ସଭାରେ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ଅଶୋକ କୁମାର ଚାନ୍ଦ ମଂଚାସିନ ଥିଲେ ଓ କପିଳେଶ୍ୱର ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଖିଲାରି ଋଷିକେଶ ପୋଲିସ ବିଭାଗ ଦ୍ୱାରା ପ୍ରଦତ୍ତ ବରିଷ୍ଠ ନାଗରିକ ପରିଚୟ ପତ୍ର ବଣ୍ଟନ କରିଥିଲେ ଓ ସାଇବର କ୍ରାଇମ ପ୍ରତି ବରିଷ୍ଠ ନାଗରିକମାନେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଶେଷରେ ନିଳାଂଚଳ ଚିରଗୁନ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ କାର୍ଯ୍ୟକ୍ରମକୁ ମଧୁସୁଦନ ନାୟକ ପରିଚାଳନା କରିଥିଲେ । ସୁରେନ୍ଦ୍ର କୁମାର ନେଗୀ, ବିନୟ କୁମାର ମିଶ୍ର, ଚିତ୍ତ ରଂଜନ ପଟେଲ, ପ୍ରଦ୍ୟୁମ୍ନ ଗଡତ୍ୟା, ସୁରେନ୍ଦ୍ର ବେହେରା, ପ୍ରମୋଦ ଗୁରୁ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ବିଶେଷ ସହଯୋଗ କରିଥିଲେ ।
Related Stories
November 22, 2024