ଭୁବନେଶ୍ୱର, ପୋଲିସର ନାଲି ଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ । ପୂର୍ବରୁ ବହୁ ଗଣମାଧ୍ୟମ ସଂସ୍ଥା ଓ ତାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଦେବା ଭଳି ବିଜୁ ଜନତା ଦଳର ଅଗଣତାନ୍ତ୍ରିକ ଉଦାହରଣ ରହିଛି । ଗତକାଲି ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନନ୍ଦନ ଦାସ ନିଜ ସରକାରୀ ବାସଭବନରେ କୁକୁର ଛାଡି ଦେଇ ଭୟଭୀତ କରିଛନ୍ତି । ଏହା ତାଙ୍କ ହୀନ ମାନସିକତାର ପରିଚୟ ଦେଇଛି । ଏଭଳି ଅମାନବୀୟ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଦୀଲିପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ନୀରବ ନିର୍ଦ୍ଦେଶ”ରେ ଗଣମାଧ୍ୟମ ସଂସ୍ଥା, କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆଗରୁ ଅନେକ ଥର ଆକ୍ରମଣ ହୋଇଛି । ଗତକାଲିର ଅମାନବୀୟ ଘଟଣା ମଧ୍ୟ ନବୀନ ବାବୁଙ୍କ ନିର୍ଦ୍ଦେଶରେ ହୋଇଛି । ଘଟଣାକୁ ୨୪ ଘଂଟା ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକ ଚୁପ୍ ବସିଥିବାରୁ ଏହି ଘଟଣା ତାଙ୍କ ଇଙ୍ଗିତରେ ହୋଇଥିବା ସ୍ପଷ୍ଟ ହୋଇଛି । ନା ସେ ଘଟଣାକୁ ନିନ୍ଦା କରିଛନ୍ତି, ନା ପଦୁଟିଏ କହିଛନ୍ତି । ତାଙ୍କ ଦଳର ଜଣେ ବରିଷ୍ଠ ନେତାଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ ।
ନିର୍ବାଚନ ହାରିବା ପରେ ବିଜେଡି ନେତାମାନେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଅପମାନିତ କରିବାର ମାନସିକତା ଓ ଅହଂକାର ଆଜି ବି ନବୀନ ବାବୁ ଓ ତାଙ୍କ ଦଳର ନେତାଙ୍କର ରହିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।