ମାଲକାନଗିରି– ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟ କାର୍ଯ୍ୟାଳୟରେ ଆଜି ସଂଘର ସଭାପତି ଦେବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ନବ ନିର୍ବାଚିତ ବିଧାୟକ ମାଲକାନଗିରି ନରସିଂହ ମାଡକାମିଙ୍କ ସହିତ ଏମ ଇୟୁ ଯେ ର ସାମ୍ବାଦିକ ଏବଂ କର୍ମକର୍ତ୍ତାମାନଙ୍କର ଗୋଟିଏ ସୌଜନ୍ୟମୂଳକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଭାଇମାନଙ୍କ ବିଭିନ୍ନ ସମସ୍ୟା ଯଥା : ସାମ୍ବାଦିକ ପେନସନ,ସ୍ବାସ୍ଥ୍ୟ ବୀମା ଏବଂ ସାମ୍ବାଦିକ ମାନଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ଇତ୍ୟାଦି ବିଷୟରେ ବିଧାୟକ ଶ୍ରୀ ମାଡ଼କାମି ବିଧାନସଭାରେ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏହା ସହିତ ସେ ମାଲକାନଗିରି ଜିଲ୍ଲାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଯଥା ସ୍ବାସ୍ଥ୍ୟ ସେବାରେ ଉନ୍ନତି,ଶିକ୍ଷା ବ୍ୟବସ୍ଥା, ବିଭିନ୍ନ ଜଳସେଚନ ପ୍ରକଳ୍ପ, ରାସ୍ତାଘାଟର ଉନ୍ନତି ତଥା ଗମନାଗମନର ସୁବିଧା, ରେଳପଥ ସଂଯୋଗ, ବିମାନ ଚଳାଚଳ, ମାଲକାନଗିରି ସହର ଉପକଣ୍ଠରେ ବାଇପାସ୍ ରାସ୍ତା ନିର୍ମାଣ ଏବଂ ଚାଷୀ ଭାଇ ମାନଙ୍କର ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କହିବା ଅନୁସାରେ, ଏହି ସରକାର ହେଉଛି ଜନସାଧାରଣଙ୍କ ସରକାର, ତେଣୁ ଜନସାଧାରଣଙ୍କ ଉନ୍ନତି ହିଁ ଏହି ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ପରିଶେଷରେ ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ମହୋଦୟ, ଜିଲ୍ଲାର ସମସ୍ତ ସାମ୍ବାଦିକ ତଥା ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ।
ଉକ୍ତ ସଭାରେ ବିଜେପିର ନିହାର ରାୟ, ସଞ୍ଜୟ ସରକାର, ମାନିକଲାଲ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ଶିଶିର ହାଲଦାର,ବିଜୟ ମହାରାଣା ଏବଂ ରତନ ବଣିକଙ୍କ ସହିତ ଏମ ଇୟୁ ଯେ ର କର୍ମକର୍ତ୍ତା ଏବଂ ବିଭିନ୍ନ ସାମ୍ବାଦିକ ସତ୍ୟନାରାୟଣ ପଣ୍ଡା, ଗୋପି କୃଷ୍ଣ ପଟ୍ଟନାୟକ,ଶିବ ପ୍ରସାଦ କୀର୍ତ୍ତନିୟା, କାମରାଜ ଜେନା, ଅସିମ ବିଶ୍ଵାସ,ଏ. ଈଶ୍ଵର ରାଓ, ଶଙ୍କର ପାଲ,ବିକ୍ରମ କେଶରୀ ପାଢ଼ୀ, କୃଷ୍ଣ ରାୟ, ଚକ୍ରଧର ପଟ୍ଟନାୟକ, ଗୋବିନ୍ଦ ମଣ୍ଡଲ, ଦିବାକର ଭଗବାନ, କବିରାଜ ଏବଂ ସନ୍ତୋଷ ନାୟକ ଉପସ୍ଥିତ ଥିଲେ ଏବଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।