-
୫ କଂଗ୍ରେସ କର୍ମୀଙ୍କୁ ବହିଷ୍କାର
ଭୁବନେଶ୍ୱର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କଂଗ୍ରେସ ୫ ଜଣ ଦଳୀୟ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି । ୫ ଜଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର ହୋଇଥିବା ୫ ଜଣ ହେଲେ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ଶ୍ରେୟସ୍ମିତ ପଣ୍ଡା, ଛାତ୍ର କଂଗ୍ରେସର ସନ୍ଦୀପ ରାଉତରାୟ, ଆୟନ୍ ସାସମଲ୍ ଏବଂ ଯୁବ କଂଗ୍ରେସ ନେତା ଅମରେଶ ପରିଡ଼ା ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ଜୁନ୍ ୨୧ରେ କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ କରିଥିଲେ ବିଦ୍ରୋହୀ କଂଗ୍ରେସ କର୍ମୀ । ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିବା ସହ ତାଙ୍କ ବିରୋଧରେ କିଛି ଯୁବକ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।
କାଳିମାଡ଼ ପରେ ପ୍ରତିକ୍ରିୟା ଦେଇ ଶରତ ପଟ୍ଟନାୟକ କହିଥିଲେ ଯେ, ଏହା ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କଂଗ୍ରେସ ସାରା ଦେଶରେ ପ୍ରତିବାଦ କରୁଛି । ତାକୁ ପ୍ରତିହତ କରିବାକୁ ଏମିତି କାଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଏହି କାମ ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି କହିଥିଲେ ଶରତ ପଟ୍ଟନାୟକ ।