ଜୟପୁର– ଗତକାଲି ଜୟପୁର ରେଳ ଷ୍ଟେସନ୍ ବୁଲି ଦେଖିଛନ୍ତି ପୂର୍ବତଟ ରେଳପଥ ସାଧାରଣ ପରିଚାଳକ ପରମେଶ୍ଵର ଫୁନ୍କୱାଲ୍ । ଏହି ସମୟରେ ସେ ଜୟପୁର ରେଳ ଷ୍ଟେସନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତତ୍ ସହ ନୂତନ ଭାବେ ଚାଲିଥିବା ଦ୍ଵିତୀୟ ଫୁଟ୍ ଓଭର୍ ବ୍ରିଜ୍, ଅମୃତ ଭାରତ ଷ୍ଟେସନ୍ କୋଠା କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି । ଏହି ଅବସରରେ ସ୍ଥାନୀୟ ବିଜେଡ଼ି ନେତା ବାଲା ରାୟ କେତେକ ଦାବି ସଂପର୍କରେ କହିଥିଲେ । ବିଶେଷକରି ହିରାଖଣ୍ଡର ୨ ମିନିଟ୍ ରହଣୀକୁ ବଢ଼ାଇବା ସହ କୋଚ୍ ଡିସ୍ପ୍ଳେ ବୋର୍ଡ ନଥିବା କୁହାଯାଇଥିଲା । ଏହା ସେ ଶୁଣି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତତ୍ସହ ସେ କହିଥିଲେ ଯେ, ଜୟପୁର ଷ୍ଟେସନ୍ ରେ ବିଭିନ୍ନ କାର୍ଯ୍ୟ ଚାଲୁ ରହିଛି, ଯାତ୍ରୀଙ୍କ ସେବାରେ ସୁଧାର ଆଣିବାକୁ ବିଭାଗ ଚେଷ୍ଟିତ ରହିଛି, ଅମୃତ ଭାରତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଅଳ୍ପ ଦିନ ମଧ୍ୟରେ ଏହା ଲୋକଙ୍କ ଉଦ୍ଦେଶ୍ୟରେ କାମ କରିବ ବୋଲି କହିଥିଲେ । ଏପରିକି ଜୟପୁର ସହରରୁ କିଭଳି ଷ୍ଟେସନକୁ ବର୍ତମାନ ଠାରୁ ଆହୁରି ସହଜ ସଂଯୋଗ ହୋଇପାରିବ ସେ ଉପରେ ମଧ୍ୟ ତାଙ୍କ ଅଧିକାରୀ ମାନେ ଚେଷ୍ଟିତ ରହିଥିବା ସେ କହିଥିଲେ । ଭୁବନେଶ୍ଵର ପାଇଁ ଆଉ ଏକ ଟ୍ରେନ୍ ଉପରେ ସେ ମତ ଦେଇଥିଲେ ଯେ, ଏହା ମୋର ପ୍ରଥମ ଜୟପୁର ଗସ୍ତ, ଏହି ଦାବି ଆଜି ମୁଁ ଶୁଣିଛି ଏବଂ ଏହା ଉପରେ ପରୀକ୍ଷା କରାଯିବ ବୋଲି ସେ ଜଣାଇଥିଲେ । ସାଧାରଣ ପରିଚାଳକଙ୍କ ସହ ଆଜି ଷ୍ଟେସନ୍ ରେ ବିଶାଖପାଟଣା ଡିଆରଏମ ସୌରଭ ପ୍ରସାଦ, ମୁଖ୍ୟ ଟ୍ରାକ୍ ଇଂ. କେ.ଡି.ରାଓ, ମୁଖ୍ୟ ଫ୍ରାଇଟ୍ ଟ୍ରାନ୍ସପୋର୍ଟ ମ୍ୟାନେଜର ଦିବଞ୍ଜନ ରାୟ ପ୍ରମୁଖ ରହିଥିଲେ ।
ଗତକାଲି ଏହି ରେଳ ବିଭାଗର ଟିମ୍ କୋରାପୁଟ, ଜୟପୁର, ଜଗଦଲପୁର, କିରଣ୍ଡୁଲ, କଲମୁର୍ ଷ୍ଟେସନ୍ ବୁଲି ଭିତିଭୂମି ନିରୀକ୍ଷଣ କରିଥିଲେ । ଏହି ରେଳ ଲାଇନ୍ ରେ ଚାଲିଥିବା ଦୋହରିକରଣ କାର୍ଯ୍ୟ ସହ ପୋଲ, ଟନେଲ୍, ଯାତ୍ରୀ ଅପେକ୍ଷା ଗୃହ, ଫୁଟ୍ ଓଭର ବ୍ରିଜ୍ ବୁଲି ଦେଖିଥିଲେ । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ସଂପର୍କରେ ମଧ୍ୟ ସେ ବେଶ୍ ଗୁରୁତ୍ବ ଦେଇଥିଲେ ।