ମାଲକାନଗିରି– ଆଦିଭୂମି ମାଲ୍ୟଵନ୍ତ ର କବି ବଳରାମ ପୂଜାରୀ ନିଜର କଠିନ ଅଧ୍ୟବସାୟ ଓ ନିଷ୍ଠା ବଳରେ ମାଲକାନଗିରି ମାଟି ଓ ଅବିଭକ୍ତ କୋରାପୁଟ ମାଟିର ଆଦିବାସୀ ଅସ୍ମିତାର ସ୍ଵାଭିମାନୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଜୀବନ ଜୀବିକା, ପର୍ଯ୍ୟଟନ କ୍ଷେତ୍ର କୁ ଆଧାର କରି ଛଅ ଖଣ୍ଡ କବିତା ସଙ୍କଳନ ପ୍ରକାଶିତ କରିଛନ୍ତି। ଶବ୍ଦବ୍ରହ୍ମ, ମେଘଲଗ୍ନା, ମାଟିମଗ୍ନା, ଈଶ୍ଵରଙ୍କ ଭାଡ଼ି, ଶ୍ଵେତପତ୍ର ଓ କୋଣ୍ଡାକାମ୍ଵେରୁ ଖୁଆଡ ମାଧ୍ୟମରେ ମାଲକାନଗିରି ମାଟିର ସ୍ଵରକୁ ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ କରିବା ପାଇଁ ଅହରହ ଚେଷ୍ଟିତ। ଏହାର ପ୍ରତିଦାନ ସ୍ବରୂପ ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଗଣ୍ୟ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପଵ୍ଲିକେଶନ ଆଚାର୍ଯ୍ୟ ବିହାର ଭୁବନେଶ୍ଵର ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ଅଧ୍ୟକ୍ଷ ଶୁଭ୍ରାଂଶୁ ପଣ୍ଡା ଗତ ଜୁନ୍ ୧୬ ତାରିଖ ଦିନ ହୋଟେଲ ହିନ୍ଦୁସ୍ଥାନ ଇନ୍ଟରନେସନାଲ, ଭୁବନେଶ୍ଵରରେ ଏକ ସ୍ଵତନ୍ତ୍ର ବର୍ଣ୍ଣାଢ଼୍ୟ ଉତ୍ସବରେ କବି ବଳରାମ ଙ୍କୁ ସମ୍ମାନୀତ କରିବା ସହ ତିନି ଗୋଟି ଵହୁ ବିକ୍ରି ପୁସ୍ତକର ରାଜଭାଗ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଓଡିଶାରୁ ଓ ଓଡ଼ିଶା ବାହାରୁ ୧୫୦ ଜଣ ସାହିତ୍ୟକ ବୁଦ୍ଧିଜୀବି ଯୋଗଦାନ କରିଥିଲେ।
ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଦାଶ ବେନହୁର, ବିଶିଷ୍ଟ ଅନୁବାଦକ ଯଚିନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା, କବି ପବିତ୍ର ମୋହନ ଓ ପେନ୍ ଇନ୍ ବୁକ୍ସ ର ଅଧ୍ୟକ୍ଷ ଶୁଭ୍ରାଂଶୁ ପଣ୍ଡା ମଞ୍ଚାସୀନ ଥିଲେ। ମୋଟ ୪୪ ଜଣ ବରିଷ୍ଠ ସାହିତ୍ୟିକ, କବି, ଲେଖକ, ପ୍ରାବନ୍ଧିକ, କଥାକାର ମାନଙ୍କୁ ମଞ୍ଚରେ ସମ୍ମାନୀତ କରିବା ସହ ରାଜଭାଗ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଓଡିଶାର ବରିଷ୍ଠ ସାହିତ୍ୟିକ ମାନଙ୍କ ମଧ୍ୟରେ କଵି ବଳରାମ ପୂଜାରୀ ଓ ତାଙ୍କ ସହଧର୍ମିଣୀ ପୁଷ୍ପାଞ୍ଜଳୀ ରଣା ଓ ପୁତ୍ର ରୁଦ୍ରାଭିଷେକ ପୂଜାରୀ ଯୋଗଦେଇଥିଲେ। କବି ଶ୍ରୀ ପୂଜାରୀ କୁଡୁମୁଲୁଗୁମ୍ମା, ମାଲକାନଗିରି ମାଟି ରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ସହ ଏ ମାଟି ର ଗୌରବମୟ ଅତୀତ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ସହ ସୀମାନ୍ତ ସରହଦର ମାଲ୍ୟଵନ୍ତ ଭୂମିର ଉନ୍ନତି ନିମିତ୍ତ ସମଗ୍ର ଓଡ଼ିଶାବାସୀ ସହଯୋଗ କରନ୍ତୁ ବୋଲି ଆହ୍ଵାନ ଦେବା ସହ ମାଲକାନଗିରି ମାଟିର ସମସ୍ତ ଯୁବ ସାହିତ୍ୟିକ ଲେଖାଲେଖି ଜାରି ରଖିବା ସହ ଆଗାମୀ ପିଢ଼ି ପାଇଁ ନିଜସ୍ବ ଵହି ପ୍ରକାଶନ କରନ୍ତୁ ବୋଲି ନିବେଦନ କରିଛନ୍ତି। ମିଳିଥିବା ରାଜଭାଗ ଅର୍ଥରାଶିକୁ ସେ ସାହିତ୍ୟ ନିମନ୍ତେ ବ୍ୟୟ କରିବା ସହ ଏ ସମ୍ମାନକୁ ସମସ୍ତ ମାଲକାନଗିରି ମାଟିକୁ ସମର୍ପିତ କରିଛନ୍ତି।