ଭୁବନେଶ୍ୱର-ଭୁବନେଶ୍ୱର ଠାରେ ମହାନଦୀ ବଂଚାଅ ଆନ୍ଦୋଳନ ଓ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ନଦୀର ସୁରକ୍ଷା ଓ ପୁନରୁଦ୍ଧାର ଶୀର୍ଷକ ଏକ ଚିନ୍ତନ ସଭା ଅନୁଷ୍ଠିତ ହୋଇ ଯାଇଛି । ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର ବିଭିନ୍ନ ନଦୀ ର ସୁରକ୍ଷା ପାଇଁ ଆନ୍ଦୋଳନ ରତ ବ୍ୟକ୍ତି ବିଶେଷ ଯୋଗ ଦେଇ ସଂପ୍ରତି ମହାନଦୀ ଜଳ ବିବାଦ ଓ ରାଜ୍ୟର ଅନ୍ୟାନ୍ୟ ନଦୀ ଗୁଡ଼ିକର ଦୟନୀୟ ଅବସ୍ଥା କୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହିତ ଅନେକ ଗୁରୁତ୍ୱପର୍ଣ୍ଣ ନିଷ୍ପତି ନେଇଛନ୍ତି ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ନ୍ୟାୟିକ ପ୍ରକ୍ରିୟା ବା ଟ୍ରିବୁନାଲ ର ପରିଧି ବାହାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ନେବାକୁ ଦାବି କରା ଯାଇଛି । ଏବେ କେନ୍ଦ୍ର , ଛତିଶଗଡ଼ ଓ ଓଡ଼ିଶାରେ ସମାନ ସରକାର କ୍ଷମତାରେ ଅଛି । ତେଣୁ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ସହଜ ହେବ ବୋଲି ମତ ପ୍ରକାଶ ପାଇଛି । ଏଥି ପାଇଁ ଓଡ଼ିଶାର ଜଳ ସମ୍ପଦ ବିଭାଗ ର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ସରକାର ତୁରନ୍ତ ଏକ ନଦୀ ନୀତି ପ୍ରସ୍ତୁତ କରିବା ସହିତ ଏହି ନୀତି ର କାର୍ଯ୍ୟକାରିତା ପାଇଁ ଏକ ନଦୀ ମିଶନ ଗଠନ ପାଇଁ ମଧ୍ୟ ପ୍ରସ୍ତାବ ପାରିତ କରାଯାଇଛି । ରାଜ୍ୟରେ ୧୧ ଟି ପ୍ରମୁଖ ନଦୀ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଶାଖା, ପ୍ରଶାଖା ଓ ଉପନଦୀ ଗୁଡ଼ିକର ହିସାବ ବା ତାଲିକା ସରକାରଙ୍କ ପାଖରେ ନାହିଁ । ତେଣୁ ରାଜ୍ୟ ପାଇଁ ଏକ ନଦୀ ସାରଣୀ ପ୍ରସ୍ତୁତ ପାଇଁ ମଧ୍ୟ ଆଜିର ଚିନ୍ତନ ବୈଠକ ପ୍ରସ୍ତାବ ପାରିତ ହେବା ସହ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏହି ଦାବି ଗୁଡ଼ିକ ସହିତ ନଦୀ ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଖର କରିବା ପାଇଁ ଏକ ୧୭ ଜଣିଆ କମିଟି ଗଠିତ ହୋଇଛି କ୍ଷ ଆସନ୍ତା ଜୁଲାଇ ୧୩ ତାରିଖରେ ଏହାର ପରବର୍ତୀ ବୈଠକ ଅନୁଷ୍ଠିତ ହେବ । ତା ପୂର୍ବରୁ ମହାନଦୀ ଅବବାହିକାରେ ଥିବା ବୌଦ୍ଧ, ସୋନପୁର ଓ ଝାରସୁଗୁଡ଼ା ଠାରେ ମହାନଦୀ ଯାତ୍ରା/ ୱାକ ଆୟୋଜନ ହେବ । ଅନୁରୂପ ଭାବରେ ଦୟା, ବୈତରଣୀ, ସୁନା, କରୋ, ସାଳନ୍ଦୀ , ଗଙ୍ଗୁଆ ନଦୀ ଯାତ୍ରା ବା ରିଭର ୱାକ୍ ମଧ୍ୟ ଆୟୋଜିତ ହେବ ।
ଆଜିର ଏହି ବୈଠକରେ ବିଶିଷ୍ଟ ଗାନ୍ଧିବାଦୀ ପ୍ରହଲ୍ଲାଦ ସିଂହ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ମାନଦ ଅଧିକାର ପ୍ରବକ୍ତା ମନୋଜ ଜେନା, ଆଇନଜୀବୀ ଶଙ୍କର ପାଣି, ଜାତୀୟ ଯୁବ ପ୍ରକଳ୍ପ ର ଆବାହକ ମଧୁ ଭାଇ, କୁଶଭଦ୍ରା ଆନ୍ଦୋଳନ ର ଆବାହକ ନିରଦ ବରଣ ଖୁଣ୍ଟିଆ, ଦୟା ଆନ୍ଦୋଳନର ଆବାହକ ସଚ୍ଚିକାନ୍ତ ପ୍ରଧାନ, ଉତ୍ପଳ କୁମାର ଦାସ, ସର୍ବେଶ୍ୱର ପଣ୍ଡା ପ୍ରମୁଖ ନଦୀ ଆନ୍ଦୋଳନକାରୀ ମାନେ ଯୋଗ ଦେଇଥିଲେ ।