ପୁରୀ– ସ୍ନାନପୂର୍ଣ୍ଣମୀରେ ଆଜି ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିଛନ୍ତି । ସ୍ନାନବେଦିରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଅଷ୍ଟଗନ୍ଧ, କୃଷ୍ଣଅଗୁର, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଲଗି, ସଂଚିଷ୍ଟା, ତାମ୍ରପର୍ଣ୍ଣି, ଲୋଧା ମିଶ୍ରିତ ହୋଇ ଏହି ଅଧିବାସ ଜଳ ଗତକାଲି ଠାରୁ ରଖାଯାଇଥିଲା । ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ନାନ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଝିପି ଝିପି ବର୍ଷା ସତେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ଆଜିର ସ୍ଵତନ୍ତ୍ର ନୀତିକାନ୍ତି ଅନୁଯାୟୀ, ଭୋର୍ ୫ଟା ୧୦ରେ ମଙ୍ଗଳାର୍ପଣ, ୫ଟା ୧୫ରେ ପୁଷ୍ପାଞ୍ଜଳି ଓ ୫ଟା ୨୦ରେ ପହଣ୍ଡି ଆରମ୍ଭ ଏବଂ ୭ଟା ୪୫ ରେ ପହଣ୍ଡି ଶେଷ ହୋଇଥିଲା । ୮ଟା ୧୫ ରେ ମଦନମୋହନ ବିଜେ, ୮ଟା ୩୫ରେ ସ୍ନାନବେଦି ଉପରେ ମଙ୍ଗଳଆଳତୀ, ୮ଟା ୪୦ ରେ ମଇଲମ, ୯ଟାରେ ତଡ଼ପ ଲାଗି ଏବଂ ଅନ୍ୟାନ୍ୟ ନୀତିକାନ୍ତି ପରେ ୧୦ଟା ୨୫ ରେ ବେଶ ହୋଇଥିଲା । ୧୦ଟା ୩୦ ରେ ସୂର୍ଯ୍ୟପୁଜା, ୧୦ଟା ୫୦ ରେ ଦ୍ଵାରପାଳ ପୂଜା ସମାପନ ହୋଇଥିଲା । ପରେ ସ୍ନାନବେଦୀରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ଚତୁଦ୍ଧାମୂର୍ତିଙ୍କୁ ସେବକ ମାନେ ସ୍ନାନ କରାଇଥିଲେ । ଦଇତାପତି ଓ ଗରାବଡ଼ୁ ସେବାୟତ ମାନେ ବିଧି ମୁତାବକ ଏହି ଜଳ ଲାଗି କାର୍ଯ୍ୟ ସମାପନ କରିଥିଲେ । ଜଳଲାଗି ପରେ ଗଜପତି ମୁଦିରସ୍ଥଙ୍କ ଦ୍ଵାରା ଛେରାପହଁରା କରାଯିବ । ପରେ ପରେ ଚତୁର୍ଦ୍ଧାମୂର୍ତିଙ୍କ ହାତୀ ବେଶ ଅନୁଷ୍ଠିତ ହେବ । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିସିଟିଭି ୨୪ ଘଂଟିଆ ନଜର ରଖିଛି ଭକ୍ତଙ୍କ ଉପରେ । ସ୍ନାନବେଦିରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଗୋଟିଏ ବ୍ୟାରିକେଡ୍ ଦେଇ ଯାଉଛନ୍ତି ଏବଂ ଅନ୍ୟ ତିନି ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରୁଛନ୍ତି । ସ୍ନାନଯାତ୍ରାରେ ଶ୍ରୀମନ୍ଦିର ଭିତରେ, ବାହାରେ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି ମୋଟ୍ ୬୮ ପ୍ଲାଟୁନ୍ ପୋଲିସ ଫୋର୍ସ ।
କଥିତ ଅଛି, ମହାରାଷ୍ଟ୍ରର ଜଣେ ଭକ୍ତ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ଚାହିଁଥିଲେ । ଶ୍ରୀଜୀଉଙ୍କୁ ହାତୀ ବେଶରେ ନଦେଖି ଭକ୍ତ ମନ ଦୁଃଖରେ ଫେରି ଯାଉଥିଲେ । ଏହି ସମୟରେ ଶୂନ୍ୟ ବାଣୀ ହେଲା ସ୍ନାନବେଦି ଉପରେ ଗଜାନନ ବେଶରେ ମୋତେ ଦର୍ଶନ କର । ସେହିଦିନ ଠାରୁ ସ୍ନାନ ବେଦି ଉପରେ ଶ୍ରୀଜୀଉଙ୍କୁ ହାତୀ ବେଶ କରାଯାଉଛି । ମହାପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।