ଭୁବନେଶ୍ୱର, ଚଳିତ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ପରାଜିତ ପ୍ରାର୍ଥୀ ଦୀପାଳି ଦାସ ପୁଣି ଥରେ ଇଭିଏମ୍ ଯାଂଚ ପାଇଁ ଆବେଦନ କରିଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର । ଏଥିନିମନ୍ତେ ନିର୍ବାଚନ କମିଶନର ସହମତି ପ୍ରକାଶ କରିଥିବା ବେଳେ ଆସନ୍ତା ଜୁଲାଇ ୧୯ ପରେ ତାରିଖ ନିର୍ଦ୍ଧାରିତ ହେବ ବୋଲି ଜଣାଯାଇଛି । ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ ଉପସ୍ଥିତିରେ ୧୩ଟି ବୁଥ୍ ରେ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଂଚ କରାଯିବ ।
ନିୟମ ମୁତାବକ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରାର୍ଥୀ ଆବେଦନ କରିପାରିବେ । ଏହି ଆଧାରରେ ୫ ପ୍ରତିଶତ ଇଭିଏମର ପୁନଃ ଗଣତି କରାଯିବ ।
ଏନେଇ ଦୀପାଳି ଦାସ କହିଛନ୍ତି, ଭାରତର ନାଗରିକ ହିସାବରେ ମୁଁ ମୋ’ ଅଧିକାର ପାଇଁ ଲଢ଼ୁଛି । ଏଥିନିମନ୍ତେ ନିର୍ବାଚନ କମିଶନରଙ୍କ ନିକଟରୁ ପତ୍ର ପାଇ ସାରିଛି । ଜୁଲାଇ ୧୯ ତାରିଖ ପରେ ଏଥିନିମନ୍ତେ ତାରିଖ ନିର୍ଦ୍ଧାରିତ ହେବ । ଏଥିରେ କାହାକୁ କୌଣସି ଅସୁବିଧା ହେବା ଉଚିତ ନୁହେଁ, କାରଣ ମୁଁ ମୋ’ ଅଧିକାର ପାଇଁ ଲଢ଼ୁଛି ।
ସେହିପରି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, କିଛି ଲୋକ ଶାସନ ବ୍ୟବସ୍ଥାକୁ ନିଜ ପରିବାରର ଜାଗିରଦାରୀ ଭାବନ୍ତି । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ସେମାନେ ଭୁଲି ଯାଉଛନ୍ତି । ଏଠାରେ ଜନାଦେଶକୁ ସମ୍ମାନ ଦେବା ପ୍ରତି ନିର୍ବାଚିତ ଓ ପରାଜିତ ପ୍ରାର୍ଥୀଙ୍କ ଦାୟିତ୍ୱ । ମାତ୍ର କିଛି ପ୍ରାର୍ଥୀ ଜନାଦେଶକୁ ଗ୍ରହଣ କରି ପାରନ୍ତି ନାହିଁ । ଜନାଦେଶକୁ ଗ୍ରହଣ କରିବା ଶିଖନ୍ତୁ, କାରଣ ଏଠାରେ ପରିବାର ରାଜନୀତିର ସମାପ୍ତ ହୋଇଛି । ମାତ୍ର ସେମାନେ ସେ ମାନସିକତାରୁ ବାହାରି ପାରୁ ନାହାନ୍ତି । ନିର୍ବାଚନ କମିଶନରଙ୍କ ନଜରରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ଗଣତି ହୋଇଥିବା ବେଳେ ସିସିଟିଭିରେ ଏହା କଏଦ ହୋଇଛି । ଏଥିସହ ତାଙ୍କ ଏଜେଂଟ ସବୁ ଡକ୍ୟୁମେଂଟରେ ଦସ୍ତଖତ ମଧ୍ୟ କରିଛନ୍ତି । ଏବେ ସେ ପୁଣି ଥରେ ଇଭିଏମ୍ ଯାଂଚ ପାଇଁ ଆବେଦନ କରିଥିବାରୁ ତାହା ସ୍ୱାଗତଯୋଗ୍ୟ ।
ସୂଚନାଯୋଗ୍ୟ ଯେ ଚଳିତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ହାରର ସମ୍ମୁଖୀନ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।