
ଭୁବନେଶ୍ୱର, ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ତରଫରୁ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ କଲେଜର ଆଇକ୍ୟୁଏସି ତରଫରୁ ସଂଯୋଜନା କରାଯାଇଥିବା ସ୍ଥଳେ କଲେଜର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ସୋସାଇଟି, ସ୍କାଉଟ୍ ଆଣ୍ଡ ଗାଇଡସ୍, ଏନ୍.ସି.ସି ସହିତ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ, ଯୋଗ ମହୋତ୍ସବ ସମିତିର କର୍ମକର୍ତାମାନେ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ୱକୁ ପ୍ରଥମେ ଯୋଗାର୍ଥୀମାନଙ୍କୁ ପରାମର୍ଶ ଦେଇ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ଯୋଗ ପାଇଁ ଆଜି ବିଶ୍ୱରେ ଭାରତର ନାମ ଯେ କେତେ ଆଗକୁ ଯାଇଛି ତାର ପ୍ରମାଣ ସ୍ୱରୂପ ଯୋଗ ଆଜି ବିଶ୍ୱରେ ଏକ ଅତି ଆବଶ୍ୟକ କର୍ମ ହୋଇଯାଇଛି ବୋଲି କହିଥିଲେ ।
କଲେଜର ଉପାଧ୍ୟକ୍ଷ ଡ. ହଟକେଶ୍ୱର ସେନାପତି ସବୁ ରୋଗର ମୂଳକୁ ନିପାତ କରିବାରେ ଯୋଗର ଭୂମିକା ରହିଛି ବୋଲି କହିଥିଲେ । ଯୋଗ ଶିକ୍ଷାକୁ ଖୁବ୍ ଆଗକୁ ନେବାକୁ ଯୋଗ ପ୍ରଶିକ୍ଷିକା ଓ ଗଣିତ ବିଭାଗର ମୁଖ୍ୟ ମଧୁସ୍ମିତା ମହାନ୍ତି ପ୍ରେରଣା ଦେଇଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପିକା ଓ ଆଇକ୍ୟୁଏସି ତରଫରୁ ଗାର୍ଗୀ ବାନାର୍ଜୀ ଯୋଗ କଲେ ଦେହ ସୁସ୍ଥ ରୁହେ ବୋଲି ପରାମର୍ଶ ଦେଇଥିଲେ ।
ସ୍କାଉଟ ଆଣ୍ଡ ଗାଇଡ୍ସର ରେଞ୍ଜର ଓ ରୋଭର ଭାବରେ ଅଧ୍ୟାପିକା ସସ୍ମିତା ଷଡ଼ଙ୍ଗୀ ଓ ଅଧ୍ୟାପକ ଧନଞ୍ଜୟ ଭୂୟାଁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ସହିତ କଲେଜର ୧୫୦ରୁ ଅଧିକ ପିଲାମାନଙ୍କ ସହିତ କଲେଜର ସବୁ ଅଧ୍ୟାପକ, ଅଧ୍ୟାପିକା ସହିତ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ ।