
-
ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା
ଭୁବନେଶ୍ୱର, ଆସନ୍ତା୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ସ୍ପନସର ରହିବ ଓଡ଼ିଶା । ଓଡ଼ିଶା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକିର ସ୍ପନସର ରହିବ । ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ସ୍ପନସର ରହିବା ନେଇ ଚୁକ୍ତି ହୋଇଥିଲା ।
ଶୁକ୍ରବାର ଦିନ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ୱ ରେ ଗୋଟିଏ ଅଲଗା ପରିଚୟ ମିଳିଛି । ଭାରତୀୟ ହକି ଦଳର ବିକାଶ ରେ ଓଡ଼ିଶା ର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ । ଭବିଷ୍ୟତରେ ଓଡ଼ିଶା ସରକାର ଙ୍କ ସହ ମିଶି ହକି କୁ ପରବର୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଶହେ ବର୍ଷ ପୂର୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ସ୍ପନସରସିପ୍ ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ।
ସୂଚନା ଯୋଗ୍ୟ ଯେ, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଦଳର ସ୍ପନସରସିପ୍ ଦାୟିତ୍ୱ ନେଇଛନ୍ତି । ୨୦୨୩ ରୁ ୧୦ ବର୍ଷ ପାଇଁ ସ୍ପନସର କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶା ବାସୀଙ୍କ ଭାବାବେଗ କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ବୋଲି କହିଥିଲେ । ମୁଖ୍ୟଶାସନ ସଚିବ ପି . କେ . ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।