ବଲାଙ୍ଗିର, ଯୋଗ ହେଉଛି ରୋଗର ଉପସମ ପାଇଁ ଔଷଧର ବିକଳ୍ପ ବୋଲି ରାଜ୍ଯ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଆନ୍ତର୍ଜାତୀୟ ଯୋଗ ଦିବସରେ ବଲାଙ୍ଗିର ଠାରେ ପତଞ୍ଜଳୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଯୋଗ ଦିବସରେ ପ୍ରକାଶ କରିଛନ୍ତି। ଭାରତର କୋଣ ଅନୁକୋଣ ସହିତ ବିଶ୍ଵରେ ଆଜି ପାଳନ କରାଯାଉଛି ଯୋଗ ଦିବସ । ଏହି କ୍ରମରେ ବଲାଙ୍ଗିରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ଆଇଟିଆଇ ପଡ଼ିଆରେ ବଲାଙ୍ଗିର ଶାଖା ପତଞ୍ଜଳି ଯୋଗ ସମିତି ତରଫରୁ ଆଜି ପ୍ରାତଃ ସମୟରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜ ପାଇଁ ଏବଂ ସମାଜ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଆଲୋଚନା କରିଛନ୍ତି । ଏଥିରେ ସଭାପତି ଆଶୁତୋଷ ମିଶ୍ର, ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ଅଶୋକ ଅଗ୍ରୱାଲ, ଭାରତ ସ୍ଵାଭିମାନ ମଂଚର ଜିଲ୍ଲାପ୍ରଭାରୀ ରଘୁନାଥ ଷଢଙ୍ଗୀ, ପତଞ୍ଜଳି ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାର, ପତଞ୍ଜଳି ମହିଳା ଶାଖା ପ୍ରଭାରୀ ସୁଜାତା ଦିଶ୍ରୀ, ଶାନ୍ତିପଡା ଯୋଗ କକ୍ଷର ପ୍ରଦୀପ ଖମାରୀ, ଦିଲ୍ଲୀପ ପାତ୍ର, ସାରଥି ପଟେଲ, ଯୁବ ଭାରତର ସଭାପତି ଜ୍ୟୋତିପ୍ରକାଶ ସାହୁ ସମେତ ବିଭିନ୍ନ ସ୍କୁଲ କଲେଜ ବୈଷୟିକ ଅନୁଷ୍ଠାନ ଛାତ୍ରଛାତ୍ରୀ ଓ ବଲାଙ୍ଗିର ସିଆରପିଏଫ୍ ଯବାନ ମାନେ ଯୋଗଦାନ କରିଥିଲେ।
ଏହାପରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିୟମ୍ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଯୋଗ ଦିବସରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନିଜେ ଯୋଗ ଅଭ୍ୟାସ କରିଥିଲେ । ଏଥିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି କହିଥିଲେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ସମଗ୍ର ବିଶ୍ଵରେ ଭାରତ ଯୋଗକୁ ନେଇ ପରିଚିତ ହୋଇପାରିଛି । ସମଗ୍ର ଦେଶରେ ପ୍ରତ୍ୟହ ଯୋଗ ଅଭ୍ୟାସ ପାଇଁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା କରାଯାଉଛି । ଆମର ଭାରତୀୟ ଚିକିତ୍ସା ପଦ୍ଧତିରେ ରୋଗର ଉପସମ ପାଇଁ ଦେଶୀୟ ଚିକିତ୍ସା ବ୍ୟବସ୍ଥାରେ ଔଷଧ ସହିତ ଯୋଗ କରାଯାଇଥାଏ । ନିୟମିତ ଯୋଗ ଅଭ୍ୟାସ ବ୍ୟକ୍ତିକୁ ନିରୋଗ ରଖିଥାଏ ।
ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଯୋଗର ମହାତ୍ମ୍ୟ ସଂପର୍କରେ ଆଲୋଚନା କରିଛନ୍ତି ।