ଗଞ୍ଜାମ, ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡି ନିଖୋଜ ଥିବା ୨୨ ବର୍ଷିୟ ଯୁବକ ହେମନସେନ ବେହେରାଙ୍କ ମୃତଦେହକୁ ଆଜି ସକାଳେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ, ଓଡ଼୍ରାଫ ଟିମ୍ ଓ ପୋଲିସର ମିଳିତ ଟିମ୍ । ନିଖୋଜ ଯୁବକଙ୍କ ମୃତଦେହ ଗଞ୍ଜାମର ଗୋଖୁରକୁଦା ନିକଟରୁ ଉଦ୍ଧାର ହୋଇଛି । ଗଞ୍ଜାମ ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
ପ୍ରକାଶ ଥାଉକି, ଆର୍ଯ୍ୟପଲ୍ଲୀ ଅଂଚଳର ଏହି ଯୁବକ ହେମନସେନ ୧୯ ତାରିଖ ଅପରାହ୍ନରେ ନିଜର ୪ରୁ ୫ ଜଣ ବନ୍ଧୁଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିବା ବେଳେ ଅସାବଧାନତାବଶତଃ ଭାସି ଯାଇ ନିଖୋଜ ଥିଲେ । ଅଗ୍ନିଶମ ବାହିନୀ, ଓଡ଼୍ରାଫ ଟିମ୍ ଓ ପୋଲିସ ଦୁଇ ଦିନ ଧରି ଖୋଜାଖୋଜି କରିବା ପରେ ଆଜି ସକାଳେ ଗଞ୍ଜାମର ଗୋଖୁରକୁଦା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।