ନୂଆଦିଲ୍ଲୀ, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରାୟ ଏକ ହଜାର ଲୋକ କୂଳପତି ପ୍ରଫେସର ଯୋଗେଶ ସିଂହ ଓ ସ୍ଥାନୀୟ ସାଂସଦ ମନୋଜ ତିୱାରୀଙ୍କ ସହିତ ସାମୁହିକ ଯୋଗାଭ୍ୟାସ କରିଛନ୍ତି ।
ଡିୟୁର ଖେଳ ଷ୍ଟାଡିୟମ ପରିସରରେ ଥିବା ହଲରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସାଂସଦ ତିୱାରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଯୋଗକୁ ବିଶ୍ୱରେ ପରିଚୟ ମିଳିଛି । ଆଜି ବିଶ୍ୱର 172 ଦେଶ ଯୋଗ ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ, ମିଳିତ ଜାତିସଂଘ 2014ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବକୁ ସ୍ୱୀକାର କରି ପ୍ରତି ବର୍ଷ ଜୁନ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାର ନିଷ୍ପତି ନେଇଥିଲା ।