ଭୁବନେଶ୍ୱର, ପିଏମ୍ କିଷାନ ନିଧି ସମ୍ମାନ କିମ୍ବା କାଳିଆ ଯୋଜନାରେ ଅଦ୍ୟାବଧି ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଏହି ସହାୟତା ପାଇବାରୁ ବଞ୍ôଚତ । ଆଜି ପର୍ଯ୍ୟନ୍ତ ଓଡ଼ିଶା ଚାଷୀ ସଂଖ୍ୟାର ପରିସଂଖ୍ୟାନ କରାଗଲା ନାହିଁ । ଫଳରେ ଯେଉଁ ଚାଷୀମାନେ ଏହି ସୁବିଧା ପାଇବାକୁ ହକ୍ ସେମାନେ ମଧ୍ୟ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଚାଷୀଙ୍କ ଏକ ସବିଶେଷ ନାମ ଡାଟା ପ୍ରସ୍ତୁତ କରି ଏକକ ଯୋଜନା ମାଧ୍ୟମରେ ମୋଟ ଜନସଂଖ୍ୟାର ୭୦ ପ୍ରତିଶତ କୃଷିଜୀବି ଅର୍ଥାତ ୭୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ଆଉ ବଳକା ଥିବା ୩୫ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ବର୍ଷକୁ ୨ଟି କିସ୍ତିରେ ଅନ୍ୟୁନ ୧୫ ହଜାର ଟଙ୍କା କୃଷି ସହାୟତା ଯୋଗାଇ ଦେବାକୁ କଂଗ୍ରେସ ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି ।
ସେ କହିଛନ୍ତି ଚାଷୀଙ୍କ ବାର୍ଷିକ ଆୟକୁ ୨ଗୁଣା ବୃଦ୍ଧି କରିବା ସହିତ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ଗତ୨୦୨୪ ମାର୍ଚ୍ଚ ୧୧ ତାରିଖ ସୁଦ୍ଧା ରାଜ୍ୟର ମୋଟ ୪୫ ଲକ୍ଷ ୭୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ୯୩୩କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଏପରି ମୋଟ ୧୩ଟି କିସ୍ତିରେ ୧୮ ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି । ଅପର ପକ୍ଷରେ କେନ୍ଦ୍ର ସରକାର ପିଏମ୍ କିଷାନ ନିଧି ସମ୍ମାନରେ ବର୍ଷକୁ ୩ କିସ୍ତିରେ ୬ ହଜାର ଟଙ୍କା ଲେଖାଁରେ ଓଡ଼ିଶାର ମୋଟ ୪୦ ଲକ୍ଷ ୯ ହଜାର ଚାଷୀଙ୍କୁ ସହାୟତା ଦେଇଛନ୍ତି । ପୁନଶ୍ଚ ପ୍ରଧାନମନ୍ତ୍ରୀ ତାଙ୍କର ତୃତୀୟ ପାଳିରେ ଚଳିତ ଜୁନ୍-୧୮ ତାରିଖରେ ୧୭ ତମ କିସ୍ତିରେ ଦେଶର ମୋଟ ୯କୋଟି ୨୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଦେଉଛନ୍ତି । ଫଳରେ ଦେଶର ୧୧ କୋଟିର ଉର୍ଦ୍ଧ୍ୱ ଚାଷୀ ଏଥିରେ ଉପକୃତ ହେଉଥିବା ବେଳେ ଓଡ଼ିଶାର ୭୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ମାତ୍ର ୩୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେଉଛନ୍ତି ।