-
– ଅଭିଯୁକ୍ତଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା
ଭୁବନେଶ୍ୱର – ଭୁବନେଶ୍ୱରର ମାର୍କେଟ ବିଲଡିଂରେ ଗତକାଲି ସଂଧ୍ୟାରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଖେଳାଇବା ଘଟଣାରେ କମିଶନରେଟ୍ ପୋଲିସ୍ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦଙ୍ଗା ସୃଷ୍ଟି ଭଳି ସାଂଘାତିକ ଦଫା ଲଗାଇଛି । ଏହି ଘଟଣାରେ ପୋଲିସ୍ ବର୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି ।୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ କୌଣସି ଦଳର ନୁହନ୍ତି । ଗିରଫଙ୍କ ମଧ୍ୟରେ ୧୨ ଜଣ ନାବାଳକ ରହିଛନ୍ତି । ଅଭିଯୁକ୍ତ ମଧ୍ୟରୁ ଅଧିକାଂଶ ସ୍କୁଲରେ ପଢୁଥିବା ପିଲା । ଗତକାଲି ମାରପିଟ ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀ, ଚିଂଟୁ ଓ ପ୍ରୀତମ୍ । ସେମାନେ ବର୍ତମାନ ସୁଦ୍ଧା ଫେରାର୍ ଅଛନ୍ତି ବୋଲି ସୂଚନା ଦେଇଛନ୍ତି କମିଶନର ।
ସୂଚନାଯୋଗ୍ୟ ଯେ ଗତକାଲି ସଂଧ୍ୟା ପ୍ରାୟ ୬ଟାରେ ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ ସମ୍ମୁଖରେ ପାଖାପାଖି ୩୦ ଜଣ ମୁଖାପିନ୍ଧା ଯୁବକ ଆତଙ୍କ ଖେଳାଇଥିଲେ । ମଲ୍ ସାମ୍ନାରେ ଥିବା ଉଠା ଦୋକାନୀ ଓ ଗ୍ରାହକମାନଙ୍କୁ ଯୁବକ ମାନେ ଆଖିବୁଜା ମାଡ ମାରିବା ସହ ସେମାନଙ୍କ ସରଂଜାମ ନଷ୍ଟ କରିଥିଲେ । ଏହାସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ ଏବଂ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଏଥିରେ କିଛି ଦୋକାନୀ ଆହତ ହୋଇଥିଲେ । ଏହାକୁ ନେଇ ସେଠାରେ ଉତେଜନା ଲାଗି ରହିଥିଲା । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଉଠା ଦୋକାନୀମାନେ ଦାବି କରିଥିଲେ । ଖବର ପାଇ ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଂଚିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।