ରାଜଗାଙ୍ଗପୁର- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଆଇଟି କଲୋନୀର ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ମାନେ ହେଲେ ରଞ୍ଜିତ ପ୍ରସାଦ (୨୮), ତାଙ୍କ ପତ୍ନୀ କଳ୍ପନା ପ୍ରସାଦ ଚିନୁ, ତିନି ବର୍ଷର ଝିଅ କନକ ଓ ଦେଢ଼ ବର୍ଷର ପୁଅ ।
ଗୁରୁବାର ଶେଷ ଥର ପାଇଁ ପରିବାର ଲୋକଙ୍କୁ ସାଇ ପଡ଼ିଶା ଲୋକେ ଦେଖିଥିଲେ । ଆଜି ଘରୁ ପଚାଗନ୍ଧ ବାହାରୁଥିବା ନେଇ ପଡ଼ୋଶୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଥିଲା । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ସେମାନଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି । ମୃତଦେହ ନିକଟରୁ ଏକ ଅଧାଭର୍ତି କ୍ଷୀର ପାତ୍ର ମିଳିଥିବା ସୂଚନା ମିଳିଛି । ଯାହାକୁ ନେଇ ବିଷମିଶା କ୍ଷୀର ପିଇ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ରଞ୍ଜିତ ପ୍ରସାଦ ଓସିଏଲ୍ କମ୍ପାନୀରେ ଚାକିରୀ କରୁଥିଲେ । ଏହି ଘର ମାଲିକ ପ୍ରମୋଦ ରାଉତ ନାମକ ବ୍ୟକ୍ତି ବୋଲି ଜଣାପଡିଛି । କାଂଶବାହାଲ ଗୋଆଲପଡ଼ାରେ ପୂର୍ବରୁ ରହୁଥିବା ରଞ୍ଜିତ ପ୍ରସାଦ ୪ ମାସ ହେଲା ରାଜଗାଙ୍ଗପୁର ଆସି ପ୍ରମୋଦଙ୍କ ଘର ଭଡ଼ା ନେଇ ରହୁଥିଲେ । ସେ ବିହାରର ମୂଳ ବାସିନ୍ଦା ବୋଲି ଜଣାପଡିଛି । ତେବେ କ’ଣ ପାଇଁ ପରିବାର ସଦସ୍ୟ ଏପରି ଚରମ ପଦକ୍ଷେପ ନେଲେ ପୋଲିସ ସେନେଇ ଛାନଭିନ୍ ଜାରୀ ରଖିଛି ।