ପୁରୀ,ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା । ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବଦିନ ବ୍ୟାପୀ ଘୋଷଯାତ୍ରା କରିବେ ଦାରୁବ୍ରହ୍ମ । ସିଂହଦ୍ଵାର ସମ୍ମୁଖରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲି ଅଭିମୁଖେ ବଡ଼ଦାଣ୍ଡରେ ଗଡିବ ତିନି ରଥ । ଏଥିପାଇଁ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଛି ତିନି ରଥର ନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସାରିବା ନେଇ ଲକ୍ଷ୍ୟ ରଖାଯାଇଛି । ରଥ ନିର୍ମାଣ ପାଇଁ ପ୍ରାୟ ୨୦୦ ମହାରଣା, ଭୋଇ, କମାର, ରୂପକାର, କରତି ସେବକ, ପହି ମହାରଣା, ବିନ୍ଧ କାରିଗର ସେବକ କାମରେ ଲାଗି ପଡିଛନ୍ତି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଗତକାଲି ତିନି ରଥର ଚାରି ନାହାକା ଉଠିବା ପରେ ଆଜି ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାପରେ ଚଉଦ ନାହାକା ଉଠିବ ।
ସେହିପରି ଓଝା ତଥା କମାର ସେବକ ଦୋଳବେଦି ଅସ୍ଥାୟୀ କମାର ଶାଳରେ ବିଭିନ୍ନ ସାଇଜ୍ ର କଂଟା ନିର୍ମାଣରେ ନିମଗ୍ନ ଅଛନ୍ତି ।