ଜୟପୁର,ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଭି, କୀର୍ତି ଭାଶନଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ବାତ୍ୟା କିମ୍ବା ଅତ୍ୟଧିକ ବର୍ଷା ହେଲେ ତାର ସଠିକ୍ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷ କରାଯାଇଥିଲା । ବର୍ଷା, ବନ୍ୟା ପୂର୍ବରୁ ନଦୀବନ୍ଧ ତଥା ସହରାଂଚଳ ନାଳ ମରାମତି, ଜଳ ଅବରୋଧ ସ୍ଥାନ ଚିହ୍ନଟ, ବନ୍ୟା ପ୍ଳାବିତ ଅଂଚଳରେ ଆବଶ୍ୟକ ଔଷଧ, ସାପ କାମୁଡା ଇଞ୍ଜେକ୍ସନ ଓ ଖାଦ୍ୟ ମହଜୁଦ୍ ରଖିବା, ହଇଜା, ଡେଙ୍ଗୁ, ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ, ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତୀ କାଳରେ କିଭଳି ପଦ ପଦକ୍ଷେପ ନିଆଯିବ ସେନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ।ବନ୍ୟା ପରିସ୍ଥିତିରେ ପୀଡ଼ିତଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସୁଖିଲା ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଔଷଧ ମହଜୁଦ, ନଦୀବନ୍ଧ ଓ ଘାଇ ମରାମତି, ପାଇପ୍ ଦ୍ୱାରା ବିଶୋଧିତ ଜଳ ଯୋଗାଣ, ନଳକୂପ ବିଶୋଧନ, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ, ଓଆରଏସ୍, ବ୍ଲିଚିଙ୍ଗ୍ ପାଉଡର,ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଟୀକା ଓ ଔଷଧ ସହ ପଦ ପଦକ୍ଷେପ, ଦୁର୍ଗମ ଅଂଚଳରେ ଖାଦ୍ୟ ଶସ୍ୟ ମହଜୁଦ ରଖିବା ଆଦି ଉପରେ ଗୁରୁତ୍ୱ ସହ ଆଲୋଚନା କରାଯାଇଥିଲା । ବୈଠକରେ କୋରାପୁଟ ଜିଲ୍ଲାର ବିଭିନ୍ନ ପଂଚାୟତ ସମିତିର ଅଧ୍ୟକ୍ଷ ଗଣ, କୋରାପୁଟ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର , କୋରାପୁଟ ଉପଜିଲ୍ଲାପାଳ, ବେଣୁଧର ଶବର ଓ ପୌରପାଳିକା ଅଧକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠି, ଜିଲ୍ଲା ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା ଡି.ଆର.ଆର ସି, ଶ୍ରୀ ଅବନୀ କାନୁ ଭୂୟାଁ, ଓ.ଡ୍ରାଫ ବାହିନୀ, ସ୍ୱେଚ୍ଛାସେବୀ ସଂଗଠନ, ଆପଦ ମିତ୍ର ସ୍ୱେଛାସେବୀ, ସିଭିଲ ଡିଫେନ୍ସ, ଅଗ୍ନିଶମ ବିଭାଗ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ ଏବଂ ପରିଶେଷରେ ଡେପୁଟି-ଜିଲ୍ଲାପାଳ, ଜିଲ୍ଲା ଜରୁରୀ କାଳୀନ ବିଭାଗ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।