ଭୁବନେଶ୍ୱର, କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଓସେପାର ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ଓଡିଶା ହାଇକୋର୍ଟ । ମେରିଟ ସହ ପ୍ରିଫରେନ୍ସକୁ ଗୁରୁତ୍ୱ ଦେଇ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ରାୟ ପରେ ବର୍ଷ ବର୍ଷ ଧରି ଚାକିରି ଅପେକ୍ଷାରେ ଥିବା ବହୁ ଆଶାୟୀ ଖୁବ୍ ଉତ୍ସାହିତ ହୋଇ ପଡ଼ିଛନ୍ତି ।
ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୩ ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ଧାର୍ଯ୍ୟ କରାଯାଇଥିଲା । ବିଭିନ୍ନ ପରୀକ୍ଷା ପରେ ମେରିଷ୍ଟ ଲିଷ୍ଟ ଫଳାଫଳ ପ୍ରକାଶ ପାଇଥିଲା । ପରବର୍ତୀ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଂଚ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ନିଯୁକ୍ତି ବିଜ୍ଞପ୍ତି ନିୟମ ଅନୁସାରେ ମେରିଟ ଲିଷ୍ଟ ତାଲିକା ପ୍ରକାଶିତ ହୋଇ ନ ଥିବା ଅଭିଯୋଗ ହୋଇଥିଲା । ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ହଜାର ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ଚୟନ ପ୍ରକ୍ରିୟା ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା । ମାତ୍ର ଓସେପା ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଳଘଂନ କରି ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ ପ୍ରକାଶ କରିଥିଲା । ଯାହା ନିଯୁକ୍ତି ବିଜ୍ଞପ୍ତିର ସର୍ତ ଉଲ୍ଳଘଂନ କରିଥିଲା । ଏହାକୁ ନେଇ ଆବେଦନକାରୀମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାର ଶୁଣାଣି କରି ଆଜି ଓସେପା ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ଡିଭିଜନ ବେଂଚ ।