
ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଧରଣୀପଦର ନିକଟରେ ଶ୍ରମିକମାନଙ୍କୁ ନେଇ ବିଳମ୍ବିତ ରାତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଛି। ଏଥିରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଡାଲାରେ ବସିଥିବା ବୁଢିପଦର ଗ୍ରାମର ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ବୁଢିପଦର ଗ୍ରାମର ହେମ ଗଉଡ (୪୨) ବୋଲି ଜଣାପଡିଛି। ଆହତମାନଙ୍କୁ ନର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୁରୁତର ମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ୩ ଜଣ ଶ୍ରମିକଙ୍କ ଜୀବନ ସଙ୍କଟାପନ୍ନ ଥିବା ଜଣାପଡିଛି। ଏହି ଶ୍ରମିକମାନେ କର୍ମେଗାଁ ରୁ ପଲସାପଡାର ପିଚୁ ରାସ୍ତା କାର୍ଯ୍ୟରେ ନିୟୋଜିତ ଥିଲେ। ପ୍ରତିଦିନ ପରି ସେମାନେ କାମସାରି ଟ୍ରାକ୍ଟର ନମ୍ବର ଓଡି୦୮-୯୩୬୨ ଡାଲାରେ ବସି ଘରକୁ ଫେରୁଥିଲେ। ଏହି ସମୟରେ ଧରଣୀପଦର ମୁଖ୍ୟ ରାସ୍ତାରୁ ଏକ କ୍ଷେତ ତଳକୁ ଟ୍ରାକ୍ଟର ଖସି ପଡିଥିଲା। ଘଟଣାସ୍ଥଳରୁ ଆହତ ଶ୍ରମିକମାନଙ୍କୁ ଧରଣୀପଦର ଓ ବୁଡିପଦର ଗ୍ରାମର କିଛି ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ି ଯୋଗେ ନର୍ଲା ଡାକ୍ତରଖାନା ନିଆଯାଇଥିଲା। ଟ୍ରାକ୍ଟର ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ତୁରନ୍ତ ନର୍ଲା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି।