-
ସମ୍ବଲପୁରର ସାମଗ୍ରିକ ବିକାଶ କରିବା ପାଇଁ ପ୍ରସ୍ତୁତ ହେବ ଦୀର୍ଘମିଆଦୀ ମାଷ୍ଟର ପ୍ଲାନ୍ – ଧର୍ମେନ୍ଦ୍ର ପ୍ରଧାନ
-
ସଡ଼କପଥ କାର୍ଯ୍ୟକୁ ତ୍ୱରାନ୍ୱିତ ସହ ଲୋକଙ୍କ ଜୀବନଶୈଳୀକୁ ସହଜ କରିବା ପାଇଁ ଦୀର୍ଘମିଆଦି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀକୁ ଦେଲେ ପରାମର୍ଶ
-
ସିନ୍ଦୁରପଙ୍କରୁ ନକ୍ସାପାଲି ପର୍ଯ୍ୟନ୍ତ ପୁରୁଣା ଏନଏଚ ରାସ୍ତା ସ୍ୱାଭାବିକ ହୋଇଛି
-
ସରଲା ଓଭରବ୍ରିଜ ଠାରୁ ଆଗକୁ ଥିବା ରାସ୍ତାକୁ ୬ ଲେନ୍ କରାଯିବାର କାମ ଆରମ୍ଭ ହୋଇଛି ,ଖୁବ ଶୀଘ୍ର ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯିବ
-
ପଡିଆବାହାଲରୁ ଗୋଶାଳା ପର୍ଯ୍ୟନ୍ତ ୧୮ କିମି ଏନଏଚ ନୂଆ ସମ୍ବଲପୁରର ଅର୍ଥନୀତିର ଶ୍ରୀବୃଦ୍ଧିର ନମୁନା ହେବ
-
ସମ୍ବଲପୁରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସହଯୋଗରେ ଜ୍ଞାନ ଆଧାରିତ ଅର୍ଥନୀତିକୁ ଗତି ଦିଆଯିବ
-
ନିର୍ବାଚନ ସମୟରେ ପ୍ରସଙ୍ଗଭିତ୍ତିକ ଖବର ଉପସ୍ଥାପନ କରିଥିବାରୁ ସମ୍ବଲପୁରର ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର, ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରାଯିବ । ଏଥିପାଇଁ ଦୀର୍ଘମିଆଦୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ବିଶେଷ ଭାବରେ ସମ୍ବଲପୁରକୁ ଏକ ଶ୍ରୀମନ୍ତ ସହର କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ରବିବାର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ମୌଳିକ ସମସ୍ୟା ଓ ଲୋକାକାଂକ୍ଷା ସହ ଜଡ଼ିତ ବିଭିନ୍ନ ବିଷୟରେ ଦିଆଯାଇଥିବା କାର୍ଯ୍ୟକୁ ଅନୁପାଳନ କରିବା ଉପରେ ମତ ରଖିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଆଶୀର୍ବାଦ କାରଣରୁ ବିଜେପି ସରକାର ଗଠନ ହୋଇଛି । ସରକାର ଗଠନର ସ୍ୱଳ୍ପ ସମୟ ମଧ୍ୟରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି । ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରାଥମିକତା ଦିଆଯାଉଛି । ଆଗାମୀ ଦିନରେ ବର୍ଷା ଋତୁ ଆସୁଥିବା ବେଳେ ସମ୍ବଲପୁର ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ, ସ୍ୱଚ୍ଛତା ଉପରେ ଯୋର୍ ଦେବା ପାଇଁ ଆଜି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ସମ୍ବଲପୁରକୁ ଆଗକୁ ନେବା ନେଇ ମାଷ୍ଟର ପ୍ଲାନ ହୋଇଛି ନା ନାହିଁ ସେ ସମ୍ପର୍କରେ ଆଲୋଚନା ହୋଇଛି । ନିର୍ବାଚନ ପ୍ରଚାର ସମୟରେ ପିଏମ ଆବାସରେ ଘର, ଜମି ପଟ୍ଟା ମିଳିବା ନେଇ ଲୋକଙ୍କ ଅପେକ୍ଷା ରହିଛି । ଲୋକଙ୍କୁ ସବୁ ସୁବିଧା ସହ କ୍ରୀଡାକୁ ପ୍ରୋତ୍ସାହନ, କଳା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନାଗରିକଙ୍କ ଥିବା ଅପେକ୍ଷା ଉପରେ ମ୍ୟୁନିସପାଲିଟି ଅଧିକାରୀଙ୍କ ସହ ପାରମ୍ଭିକ ଚର୍ଚ୍ଚା ଆଲୋଚନା ହୋଇଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସିନ୍ଦୁରପଙ୍କରୁ ନକ୍ସାପାଲି ପର୍ଯ୍ୟନ୍ତ ପୁରୁଣା ଏନଏଚ ରାସ୍ତା ସ୍ୱାଭାବିକ ହୋଇଛି । ଖୁବ ଶୀଘ୍ର ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯିବ । ସରଲା ଓଭରବ୍ରିଜ ଠାରୁ ଆଗକୁ ଥିବା ରାସ୍ତାକୁ ୬ ଲେନ୍ କରାଯିବାର କାମ ଆରମ୍ଭ ହୋଇଛି । ପଡିଆବାହାଲରୁ ଗୋଶାଳା ପର୍ଯ୍ୟନ୍ତ ୧୮ କିମି ଏନଏଚ ସମ୍ବଲପୁରର ମୁଖଶାଳା ହେବ ତଥା ଏକ ବିକାଶର ମାର୍ଗ କରିବା ପାଇଁ ଯୋଜନା ହେବ । ସେଠାରେ ସ୍ୱାସ୍ଥ୍ୟ ସୁବିଧା ଓ ଟର୍ମିନାଲ କମ୍ପଲେକ୍ସର କାମ ଉପରେ ଗୁରୁତ୍ୱ ଦିଆଯିବ । ଏହି ଜାତୀୟ ରାଜପଥ ନୂଆ ସମ୍ବଲପୁରର ଅର୍ଥନୀତିର ଶ୍ରୀବୃଦ୍ଧିର ନମୁନା ହେବ । ସମ୍ବଲପୁରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସହଯୋଗରେ ଜ୍ଞାନ ଆଧାରିତ ଅର୍ଥନୀତିକୁ ଗତି ଦିଆଯିବ । ଦକ୍ଷତା, ଉଦ୍ୟମିତା ଓ ରୋଜଗାର ଉପରେ ଗୁରୁତ୍ୱ ଦେଇ ସମ୍ବଲପୁରକୁ ଏକ ଶ୍ରୀମନ୍ତ ସହର କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଯେଉଁ ଢାଞ୍ଚା ଦରକାର ସେ ଦିଗରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସମ୍ବଲପୁରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ନିର୍ବାଚନ ସମୟରେ ଏବଂ ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରସଙ୍ଗଭିତ୍ତିକ ଖବର ଉପସ୍ଥାପନ କରିଥିଲେ । ଏଥିପାଇଁ ସେ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।