
-
ମୃତ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଧାୟକ
-
ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ପ୍ରସ୍ତାବ ଦେବି କହିଲେ
ବଲାଙ୍ଗିର, ପୁଣି ଥରେ ଉଠିଲା ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଆଜି ସକାଳେ ତୁରେକେଲା ବ୍ଲକ ଅନ୍ତର୍ଗତ ଝରନୀ ଗାଁ ସ୍ଥିତ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ନବନିର୍ବାଚିତ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ । ତେବେ ଘଟଣାରେ ଏଯାବତ୍ ନ୍ୟାୟ ମିଳିନଥିବା ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ମୃତ ମମିତାଙ୍କ ବାପା । ଜେଲ୍ ରେ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ପରେ ତଦନ୍ତ ପ୍ରକ୍ରିୟା ଆଗଉନଥିବା ସେ କହିଛନ୍ତି । ଏଥିସହ ପୁଣି ଥରେ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ମୃତ ମମିତାଙ୍କ ବାପା । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ପ୍ରସ୍ତାବ ଦେବି ବୋଲି କହିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍ ।
ଏଠାରେ ଉଲ୍ଲେଖଯୋଗ୍ୟ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର କଳାହାଣ୍ଡି ଜିଲ୍ଲା କେଗାଁ ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଭାବେ ଚାକିରୀ କରିଥିଲେ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ଏହି ଘରୋଇ କଲେଜ ମାଲିକ ଗୋବିନ୍ଦ ଏବଂ ଏଥିରେ ତାକୁ ସହଯୋଗ କରିଥିଲା ତାର ଡ୍ରାଇଭର ରାଧାଶ୍ୟାମ । ହତ୍ୟା ପରେ ତାଙ୍କ ଶବକୁ ପୋଡି ମାଟିରେ ପୋତି ଦିଆଯାଇଥିଲା । ଗତ ଅକ୍ଟୋବର ୧୯ ତାରିଖ ୨୦୨୧ ରେ ମମିତା ନିଖୋଜ ହୋଇଥିଲେ । ପରେ ତାଙ୍କ ଦରପୋଡା ଶବକୁ ମାଟି ତଳୁ ଉଦ୍ଧାର କରିଥିଲା ପୋଲିସ । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ହୋଇଥିଲେ ସୁଦ୍ଧା ଜେଲ୍ ଭିତରେ ଅଭିଯୁକ୍ତ ଗୋବିନ୍ଦର ମୃତ୍ୟୁ ପରେ ତଦନ୍ତ ପ୍ରକ୍ରିୟା ଆଗେଇ ପାରିନାହିଁ ।