ଗଞ୍ଜାମ, କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ମଧ୍ୟାହ୍ନରେ ତାଙ୍କ ଗ୍ରାମରେ ପହଂଚିବା ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପରେ ଗ୍ରାମ ଶ୍ମଶାନରେ ସନ୍ତୋଷଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ । ତେଣୁ ଅକାଳରେ ତାଙ୍କୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ, କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମର ଶରୀର ଆଜି ସକାଳେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନବନ୍ଦରରେ ପହଂଚି ଥିଲା । ସେଠାରୁ ମୃତ ସନ୍ତୋଷଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ତାଙ୍କ ଗ୍ରାମ ରଣଝାଲିକୁ ଅଣାଯାଇଥିଲା ।