ନୂଆଦିଲ୍ଲୀ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ହାଜର ସମୟର ଟ୍ରାଏଲ କୋର୍ଟର ଭିଡ଼ିଓ କନଫରେନ୍ସ ଜରିଆରେ ଶୁଣାଣିର ଅଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଉପରେ କାର୍ଯ୍ୟାନୁଷ୍ଠାନ ଦାବି ସମ୍ପର୍କିତ ଆବେଦନ ଉପରେ ଶୁଣାଣି କରି ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥି ସହିତ ହାଇକୋର୍ଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ସମ୍ବନ୍ଧିତ ଅଡ଼ିଓ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓକିଲ ବିଭବ କୁମାର ଏହି ଆବେଦନ ଦାୟର୍ କରିଛନ୍ତି । ଏହି ଆଦେବନରେ ମାର୍ଚ୍ଚ ୨୮ ତାରିଖରେ କେଜରିୱାଲ ରାଉଜ ଏଭେନ୍ୟୁ କୋର୍ଟରେ ହାଜର ସମୟରେ ଭିଡ଼ିଓ କନଫରେନ୍ସ ଜରିଆରେ ହୋଇଥିବା ଶୁଣାଣିକୁ ଆଧାର କରାଯାଇଛି । ଆବେଦନରେ ଦର୍ଶାଯାଇଛି ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଶୁଣାଣି କରୁଥିବା ଜଜ୍ କାବେରୀ ବାବେଜାଙ୍କ ଅଦାଲତି କାର୍ଯ୍ୟବାହୀର ଅଡ଼ିଓ ରେକର୍ଡିଂକୁ ସାମାଜିକ ଗଣମାଧ୍ୟମରେ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲ, ରାଜସ୍ଥାନ କଂଗ୍ରେସର ଉପାଧ୍ୟକ୍ଷ ବିନିତା ଜୈନ, ପ୍ରମିଳା ଗୁପ୍ତା ଏବଂ ଅନ୍ୟ ଲୋକମାନେ ପୋଷ୍ଟ କରିଥିଲେ ।