ମାଲକାନଗିରି,ମାଲକାନଗିରି ମହେଶ୍ଵରୀ ସମାଜ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ କରି ସ୍ଥାନୀୟ ମହେଶ୍ଵରୀ ଭବନ ଠାରେ ସମସ୍ତ ମହେଶ୍ଵରୀ ସମାଜର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଆନନ୍ଦ ଉଲ୍ଲାସରେ ସମାଜର ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ଏହି ସଭାରେ ସୁରେଶ ସୋମାନୀ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ନବ ନିର୍ବାଚିତ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମାଡକାମୀ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ। ସ୍ଵତନ୍ତ୍ର ଅତିଥି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ରକ୍ତଦାନ କରି ଜୀବନ ବଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ରକ୍ତଦାନର ଉପକାରିତା ବିଷୟରେ ଆଲୋକପାତ କରିବା ସହିତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବିନୋଦ ଟାୱାରୀ, ଲକି ସୋମାନୀଙ୍କ ସମେତ ସମସ୍ତ ଯୁବ ମହେଶ୍ଵରୀ ମଞ୍ଚ ଆୟୋଜନ କରିଥିଲେ। ରକ୍ତ ଭଣ୍ଡାରର ଏନ. ସୁବର୍ଣ୍ଣା, ମୋହନ ଖେମୁଣ୍ଡୁ, ସୁନୀଲ ରାଏ ଏବଂ ଡାକ୍ତର ସାଗର ଵାଲା ରକ୍ତ ନମୂନା ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିନି ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ଏହି ଅବସରରେ ପ୍ରସାଦ ସେବନ ଏବଂ ଆଳତୀ କାର୍ଯ୍ୟକ୍ରମର ବନ୍ଦୋବସ୍ତ କରାଯାଇଥିଲା। ସର୍ବମୋଟ ୪୦ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସଭା ଶେଷରେ ସୁନୀଲ ସୋମାନୀ ଧନ୍ୟବାଦ ଅର୍ପଣ କରିଥିଲେ।