ଭୁବନେଶ୍ୱର– କୁଏତ୍ ଭୟାବହ ଅଗ୍ନିକାଣ୍ଡରେ ୨ ଓଡ଼ିଆ ମହମ୍ମଦ ଜହୂର ଓ ସନ୍ତୋଷ ଗୌଡ଼ଙ୍କ ମୃତ୍ୟୁ ଘଟିଛି । ଉଭୟଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇଛନ୍ତି ।
ଜହୁରଙ୍କ ଘର କଟକ ଜିଲା ତିଗିରଆ ଥାନା ଅନ୍ତର୍ଗତ କରଡାପଲ୍ଳୀ ଗ୍ରାମରେ ହୋଇଥିବାବେଳେ ସନ୍ତୋଷଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତମ ବ୍ଲକର ରଣଝାଲି ଗାଁରେ । ଜହୁର ୨୦୧୭ରୁ କୁଏତ୍ରେ ଲାବୋରୋଟାରୀ ଟେକନିସିଆନ ଭାବେ କାମ କରୁଥିଲେ । ସନ୍ତୋଷ ୨ବର୍ଷ ପୂର୍ବେ କୁଏତ୍ ଯାଇଥିଲେ । ଗତ ବୁଧବାର ଭୋର ସମୟରେ କୁଏତ୍ରେ ସେମାନେ ରହୁଥିବା ୬ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ସେଠାରେ ରହୁଥିବା ବହୁ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜହୁର ଓ ସନ୍ତୋଷ ମଧ୍ୟ ରହିଛନ୍ତି ।